ସରକାରଙ୍କ ସମସ୍ତ ସଚେତନ ସତ୍ୱେ ବି ଟୀକାକୁ ନେଇ ଦୂର ହେଉନି ଲୋକଙ୍କ ଭୟ । ଟିକାକରଣ ଟିମ୍ ପହଁଚିବା ଆଗରୁ ତାଟି କବାଟ ପକାଇ ଜଙ୍ଗଲ ପଳାଇଲେ ଗ୍ରାମବାସୀ । 

309

କନକ ବ୍ୟୁରୋ : ସହରାଞ୍ଚଳରେ କରୋନା ଟିକା ପାଇଁ ଲମ୍ବା ଧାଡି ଦେଖିବାକୁ ମିଳୁଛି । କିନ୍ତୁ କିନ୍ତୁ ଗାଁ ଗଣ୍ଡାରେ ଏହି ଟିକାକରଣ ପ୍ରକ୍ରିୟା ପ୍ରତି ସେଭଳି ଆଗ୍ରହ ଦେଖିବାକୁ ମିଳୁନାହିଁ । ଏପରିକି କରୋନା ଟିକା ଭୟରେ ଗାଁରେ ତାଟିକବାଟ ପକାଇ ଲୋକେ ଜଙ୍ଗଲକୁ ଚାଲିଯାଇଥିବା ଭଳି ସ୍ଥିତି ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲାର ଆଦିବାସୀ ଗାଁ ଚମ୍ପାକଣାରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସବୁ ଘରେ ଝୁଲୁଛି ତାଲା । କୌଣସି ଘରେ ଲୋକ ନାହାଁନ୍ତିି । ସମ୍ପୂର୍ଣ୍ଣ ଗାଁ ଜନଶୂନ୍ୟ । ଏ ହେଉଛି ରାୟଗଡା ଜିଲ୍ଲା କୋଲନାରା ବ୍ଲକ କୈଳାସପୁର ପଂଚାୟତ ଚମ୍ପାକଣା ଗାଁର ଦୃଶ୍ୟ । ଟିକାକରଣ ପାଇଁ ସରକାରଙ୍କ ସମସ୍ତ ପ୍ରକାର ସଚେତନତା ସତ୍ୱେ ମଧ୍ୟ ଲୋକଙ୍କ ମନରୁ ଟିକା ନେବା ପାଇଁ ଥିବା ଭୟ ଦୂର ହୋଇନି । ଯେଉଁଥିପାଇଁ ଏହି ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସ୍ୱାସ୍ଥ୍ୟବିଭାଗ ଟିମ୍ ପହଁଚିବା ପୂର୍ବରୁ ତାଟିକବାଟ ପକାଇ ଅନ୍ୟ ସ୍ଥାନକୁ ଚାଲି ଯାଇଛନ୍ତି ଗାଁ ଲୋକ । କେତେ ଜଣ ବୟସ୍କ ବ୍ୟକ୍ତିଙ୍କୁ ଛାଡି କେହି ନଥିବାରୁ ସ୍ୱାସ୍ଥ୍ୟବିଭାଗର ଟିମ୍ ଘଂଟା ଘଂଟା ଧରି ଅପେକ୍ଷା କରିବା ପରେ ଶେଷରେ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଛନ୍ତି ।

କୋଭିଡରୁ ବର୍ତିବା ଲାଗି ଟିକାକରଣ ଏକମାତ୍ର ବିକଳ୍ପ ହୋଇଥିବାରୁ ଟିକା ନେବାକୁ ସୋମବାର ଗ୍ରାମବାସୀଙ୍କୁ ବୁଝାଇଥିଲା ସ୍ଥାନୀୟ ପ୍ରଶାସନ । ବହୁ ବୁଝାସୁଝା ପରେ କେତେ ଜଣ ଟିକା ନେବାକୁ ରାଜି ହୋଇଥିଲେ । ଟିକା ନେବାକୁ ସହମତି ଜଣାଇବା ପରେ ଟିକାକରଣ ପାଇଁ ପହଁଚିଥିଲା ସ୍ୱାସ୍ଥ୍ୟ ବିଭାଗର ଟିମ୍ । ଏହି ଗାଁରେ ପ୍ରାୟ ୫ଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବାରୁ ପ୍ରଥମ ପର୍ଯ୍ୟାୟରେ ଟିକାର ଶହେ ଡୋଜ୍ ଦେବା ପାଇଁ ପ୍ରସ୍ତୁତି କରି ଟିମ୍ ଯାଇଥିଲା । କିନ୍ତୁ ଜନଶୂନ୍ୟ ଗାଁ ଦେଖି କିଛି ସମୟ ଅପେକ୍ଷା ପରେ ବାଧ୍ୟ ହୋଇ ଫେରିଥିଲେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ।