ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ମାଡ୍ରାସ ଆଇଆଇଟିରେ କୋଭିଡ ସଂକ୍ରମଣ ଭୟ : ପ୍ରାୟ ୭୦ ଜଣ ଆକ୍ରାନ୍ତ ଚିହ୍ନଟ;ସବୁ ବିଭାଗ, ଲାବରୋଟୋରୀ ଓ ଲାଇବ୍ରେରୀ ବନ୍ଦ କଲେ କର୍ତ୍ତୃପକ୍ଷ

ଅଧ୍ୟାପକ ଓ କର୍ମଚାରୀଙ୍କୁ ଘରୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ

71

କନକ ବ୍ୟୁରୋ : ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ମାଡ୍ରାସ ଆଇଆଇଟି କ୍ୟାମ୍ପସରେ କରୋନା ସଂକ୍ରମଣ ଭୟ । ୭୦୦ ଛାତ୍ରଙ୍କ କରୋନା ପରୀକ୍ଷା ପରେ ପ୍ରାୟ ୭୦ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି । କିଛି ସଂକ୍ରମିତ ଚିହ୍ନଟ ହେବା ପରେ କୋଭିଡ୍ ଟେଷ୍ଟକୁ ବ୍ୟାପକ କରାଯାଇଥିଲା । ଯେତିକି ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିଲା, ସେଥି ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ।

ଏହା ପରେ ଶିକ୍ଷାନୁଷ୍ଠାନର ସମସ୍ତ ବିଭାଗ, ଲାବୋରେଟାରୀ, ଲାଇବ୍ରେରୀକୁ ବନ୍ଦ କରି ଦେଇଛନ୍ତି ମାଡ୍ରାସ ଆଇଆଇଟି କର୍ତୃପକ୍ଷ । ଅଧ୍ୟାପକ, କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମିତ ହୋଇଥିବା ଛାତ୍ରମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ବେଳେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । ତାମିଲନାଡୁ ଓ ଚେନ୍ନାଇରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ମାଡ୍ରାସ ଆଇଆଇଟିରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇ ଦେଇଛି ।