ଆରମ୍ଭରୁ ଚିନ୍ତା ବଢାଇଲାଣି ଅଗଷ୍ଟ : ୩ ଦିନରେ ୩୦ରୁ ଅଧିକ ମୃତ୍ୟୁ, ସେପଟେ ୪ ମାସ ପରେ ସ୍ୱାଭାବିକ ହେଉଛି ଜୀବନଯାତ୍ରା

181

କନକ ବ୍ୟୁରୋ : ଗତ ଜୁଲାଇ ମାସରେ ୪ଥର କରୋନାରେ ୧୦ରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିଲା । ମାତ୍ର ଅଗଷ୍ଟ ମାସର ପ୍ରଥମ ୩ଦିନ କରୋନା ମୃତ୍ୟୁର ଏଭଳି ଧାରା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ୧୦ରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହେବା ଫଳରେ ରାଜ୍ୟରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୦୭ରେ ପହଞ୍ଚି ଯାଇଛି । ରାଜ୍ୟର ୨୦ଟି ଜିଲ୍ଲାରେ କରୋନା ମୃତ୍ୟୁ ହୋଇ ସାରିଲାଣି । ତେଣୁ ଗତ ମାସ ଅପେକ୍ଷା ଚଳିତ ମାସରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ଅଧିକ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ବାରମ୍ବାର ଲକ୍‌ଡାଉନ୍, ସଟ୍‌ଡାଉନ୍ ଆଦି ପରେ ଆଜିଠାରୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ପାଖାପାଖି ଚାରିମାସ ପରେ ଲୋକେ ଟିକେ ଆଶ୍ବସ୍ତ ଅନୁଭବ କରୁଛନ୍ତି, ଏଇଥିପାଇଁ ଯେ ସରକାର ଟିକିଏ ସାମଗ୍ରିକ କଟକଣା କୋହଳ କରିଛନ୍ତି । ଏହା ସତ୍ତ୍ବେ କିଛି ଜିଲ୍ଲାରେ ପ୍ରଶାସନ ଏବେ ବି କଟକଣା ରଖିଛି । ଅଗଷ୍ଟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା ଓ ବାହାରେ ଛେପ ପକାଇବା ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ମାସରେ ଯଦି ଅଧିକ ସତର୍କତା ଅବଲମ୍ବନ କରାନଯାଏ, ତେବେ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ବିଶେଷଜ୍ଞ ସତର୍କ କରାଇ ଦେଇଛନ୍ତି । ଏ ଦୃଷ୍ଟିରୁ କୋହଳ ସ୍ଥିତିରେ ସାଧାରଣ ଲୋକେ ଯେଭଳି ଅଧିକ ସତର୍କତା ଅବଲମ୍ବନ କରିବେ ତାହା ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି ।