କନକ ବ୍ୟୁରୋ: କରୋନା ଭୟ ଭିତରେ ପୁଣି ଚିନ୍ତା ବଢାଇଛି ଭୂତାଣୁର ନୂଆ ପ୍ରଜାତି । ଇନସାକଗ ବା ସାର୍କ କୋଭିଡ-୨ ଜେନୋମେକିସ କନସରଟିଏମର ନୂଆ ରିର୍ପୋଟ ଅନୁସାରେ ଦେଶରେ କରୋନାର ନୂଆ ପ୍ରଜାତି “ଏକ୍ସଇ” ଦ୍ୱାରା ସଂକ୍ରମିତ ପ୍ରଥମ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ତେବେ ଏହି ସଂକ୍ରମିତ କେଉଁ ରାଜ୍ୟର ସେନେଇ କୌଣସି ସ୍ପଷ୍ଟ ସୂଚନା ମିିଳିପାରିନି । କରୋନା ଭାଇରସର “ଏକ୍ସଇ” ଭାରିଆଂଟର ପ୍ରଥମ ମାମଲା ଚଳିତ ବର୍ଷ ଜାନୁଆରୀରେ ବ୍ରିଟେନରେ ଚିହ୍ନଟ ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
“ଏକ୍ସଇ” ଭାରିଆଂଟ ଅନ୍ୟ ପ୍ରଜାତି ତୁଳନାରେ ୧୦ ଗୁଣ ଅଧିକ ସଂକ୍ରାମକ ଅଟେ । ବର୍ତମାନ ଭାରତ ସମେତ ବିଭିନ୍ନ ଦେଶରେ ଏହି ଭ୍ୟାରିଆଂଟକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଓମିକ୍ରନ ଭୂତାଣୁର ଦୁଇଟି ଉପପ୍ରଜାତି ବିଏ.୧ ଓ ବିଏ.୨ର ମିଶ୍ରଣରେ ଏହି ନୂଆ ଏକ୍ସଇ ଭ୍ୟାରିଆଂଟ ଉତ୍ପନ ହୋଇଛି । ଯାହା ୧୦ ଗୁଣ ଅଧିକ ଦ୍ରୁତ ବ୍ୟାପିଥାଏ । ଏହି ନୂଆ ଭ୍ୟାରିଂଆଟ କେତେ ମାରାତ୍ମକ, ଏହାର ଲକ୍ଷଣ କଣ ଓ ଏହା ସ୍ଥିତି କଣ ରହିବ, ଏନେଇ ବିଶେଷଜ୍ଞମାନଙ୍କ ଅଧ୍ୟୟନ ଜାରି ରହିଛି ।
ଅନ୍ୟପଟେ ଆଉ ଏକ ରିର୍ପୋଟ ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ହାଇଦ୍ରାବାଦସ୍ଥିତ ସିଏସଆଇଆର ଓ ସିସିଏମବି ଏବଂ ଚଣ୍ଡିଗଡର ସିଏସଆଇଆର-ଆଇଏମ ଟେକ୍ ସଂସ୍ଥାର ମିଳିତ ଗବେଷଣାର ନୂଆ ରିର୍ପୋଟ ଅନୁସାରେ କୋଭିଡ ଭୁତାଣୁ ବାୟୁମଣ୍ଡଳରେ ଘୁରିବୁଲୁଥିବାର ପ୍ରମାଣ ମିଳିଛି ।
ଗବେଷକମାନେ ସଂକ୍ରମିତ ରୋଗୀ ଥିବା ସ୍ଥାନରୁ ବାୟୁର ନମୁନା ସଂଗ୍ରହ କରିଥିଲେ ଓ କରୋନା ଭାଇରସର ଜିନୋମକୁ ନେଇ ଗବେଷଣା କରିଥିଲେ । ବିଭନ୍ନ ହସପିଟାଲ,ବନ୍ଦ କୋଠରୀ, ହୋମ କ୍ୱାରେଂଟିନ ଥିବା ଘରୁ ବାୟୁର ନମୁନା ସଂଗ୍ରହ କରାଯାଇଥିଲା ।
ଭାରତରେ ଲଗାତାର ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଦେଶରେ ଦୈନିକ ସଂକ୍ରମଣର ସଂଖ୍ୟା ବର୍ତମାନ ୩ ହଜାର ଟପି ଯଇଛି । ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଦକ୍ଷିଣ ଆଫ୍ରିକାରେ ପୁଣି ଚିନ୍ତା ବଢାଇଛି ଓମିକ୍ରନ । ଭାରତରେ ସଂକ୍ରମଣ ବୃଦ୍ଧି ଓ ଦକ୍ଷିଣ ଆଫ୍ରିକାରେ କରୋନାର ପଂଚମ ଲହର ଆରମ୍ଭ ହୋଇସାରିଛି । ସେପଟେ ଚୀନର ସ୍ଥିତି ମଧ୍ୟ କିଛି ଭଲ ନାହିଁ । କରୋନା ଯୋଗୁଁ ଚୀନର ୮୭ ସହରରେ କଟକଣା ଲଗାଯାଇଛି । ସବୁଠୁ ଅଧିକ ପ୍ରଭାବିତ ସହର ମଧ୍ୟରେ ରହିଛି ସାଂଘାଇ ଓ ବେଜିଂ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବୁଧବାରଠୁ ବେଜିଂରେ ନୂଆ କଟକଣା ଲଗାଇଛନ୍ତି ଚୀନ ସରକାର । ବସ,ମେଟ୍ରୋଟ୍ରେନ ଚଳାଚଳ ବନ୍ଦ କରାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟକୁ ଅନିଶ୍ଚିତ କାଳ ପାଇଁ ବନ୍ଦ ରଖାଯାଇଛି ।
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ୪ର୍ଥ ଲହରକୁ ନେଇ ଆଶଙ୍କା ମଧ୍ୟ ବଢିବାରେ ଲାଗିିଛି । ସଂକ୍ରମଣ ବୃଦ୍ଧି ଯୋଗୁଁ ସରକାରଙ୍କଠୁ ନେଇ ସାଧାରଣ ଜନତା ପାଇଁ ସର୍ତକ ଘଂଟି ବାଜିବା ଆରମ୍ଭ ହୋଇଛି ।