କନକ ବ୍ୟୁରୋ: କହନ୍ତି ବାପା ଶବ୍ଦରେ ହିଁ ଅନେକ ବଳ ଥାଏ । ବାପା ଥିଲେ ସନ୍ତାନ୍ତର ସ୍ୱପ୍ନ ଅଧୁରା ରହେନି, ବାପା ଥିଲେ ସନ୍ତାନ କେଉଁଠି ବି ହାରେନି । ବାପା ପ୍ରତିଟି ଛୁଆର ଜୀବନରେ ଏମିତି ଜଣେ ଚରିତ୍ର, ଯିଏ ଜୀବନ-ସମ୍ମାନ-ସଂଘର୍ଷ ଆଉ ଶକ୍ତିର ସଂଜ୍ଞା ଶିଖାଇଥାନ୍ତି ।

Advertisment

ଏ ଜଣେ ଏମିତି ବାପା, ଯିଏ ନିଜେ ହାରିନାହାଁନ୍ତି କି ନିଜ ଝିଅକୁ ହାରିବାକୁ ଦେଇନାହାଁନ୍ତି । ଜୀବନରେ ଦୁଃଖ ଆଉ ଯନ୍ତ୍ରଣା ଆସିଛି ସତ ହେଲେ ସନ୍ତାନ ଆଉ ସଂଘର୍ଷ ଭିତରେ ଏ ବାପା ପଥର ଭଳି ଠିଆ ହେଇଛନ୍ତି । ଆଉ ନିଜ ଝିଅକୁ ଜୀବନ କଣ ଜିଇବା ଶିଖେଇଛନ୍ତି ।

ଏ ହେଉଛନ୍ତି ନିର ମୁଣ୍ଡା । ଘର ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ମୁଣ୍ଡା ବସ୍ତିରେ । ବୃତ୍ତିରେ ଦିନ ମଜୁରିଆ କାମ କରୁଥିବା ନିରଙ୍କର କଥା ଶୁଣିଲେ ଆପଣ ତାଙ୍କୁ ସଲାମ ନକରି ରହିପାରିବେନି । ନିରଙ୍କର ଗୋଟିଏ ବୋଲି ଝିଅ ପ୍ରମିଳା ଏଥର ମାଟ୍ରିକ ପାସ୍ କରିଛି । ୬୦୦ ମାର୍କରୁ ପ୍ରମିଳା ରଖିଛି ୪୪୬ ମାର୍କ । ହେଲେ ପ୍ରମିଳାର ଏହି ମାର୍କ ପଛରେ ଯଦି କିଏ ଅସଲ ମାଷ୍ଟର ଥାଏ, ତେବେ ହେଉଛନ୍ତି ତାଙ୍କ ବାପା, ନିର ମୁଣ୍ଡା ।

୫ ବର୍ଷ ତଳେ ଗୋଟିଏ ଟ୍ରେନ୍ ଦୁର୍ଘଟଣା ପ୍ରମିଳାଙ୍କୁ ଦିବ୍ୟାଙ୍ଗ ସଜେଇ ଦେଇଥିଲା । ଗୋଟିଏ ଗୋଡ ହରାଇବା ପରେ, ତାଙ୍କର ସବୁ ସ୍ୱପ୍ନ ଚୁନା ହେଇଯାଇଥିଲା । ଆଉ ସବୁ ସ୍ୱପ୍ନ ଭାଙ୍ଗିରୁଜି ଚୁରମାର୍ ହେଇଯାଇଥିଲା । ହେଲେ ଏତିକି ବେଳେ, ସଂଘର୍ଷକୁ ସାମ୍ନା କରି ଝିଅକୁ ନୂଆ କରି ସ୍ୱପ୍ନ ଦେଖିବାକୁ ସାହାସ ଦେଇଥିଲେ ବାପା ନିର ମୁଣ୍ଡା । ବାପାଙ୍କ ସାହାସ ନିଜ ସ୍ୱପ୍ନକୁ ଏକାଠି କରି ସେତେବେଳେ ଆଗକୁ ବଢିଥିଲେ ପ୍ରମିଳା । ଯାହାର ଫଳସ୍ୱରୂପ ଏବେ ସେ ମାଟ୍ରିକ୍ ପାସ୍ କରିଛନ୍ତି ।

ଗୋଡ କଟିଯିବା ପରେ ପ୍ରତିଦିନ ଝିଅକୁ ସ୍କୁଲକୁ ନେବା ଆଣିବା କରନ୍ତି ନିର ମୁଣ୍ଡା । ନିଜେ ସ୍କୁଲକୁ ଯାଇ ଝିଅକୁ ଛାଡନ୍ତି । ଆଉ କାମରୁ ଫେରି ନିଜେ ହିଁ ଝିଅକୁ ସ୍କୁଲରୁ ଆଣନ୍ତି । ଏତେ ଦୁଃଖ ଭିତରେ ବି ସେ କେବେ ବି ଭାଙ୍ଗିପଡିନାହାଁନ୍ତି । କେବେ ବି ମନ ଉଣା କରିନାହାଁନ୍ତି । ବରଂ ଝିଅକୁ ଅଧିକରୁ ଅଧିକ ପାଠ ପଢିବାକୁ, ଆଉ ଆଗକୁ ବଢିବାକୁ ସ୍ୱପ୍ନ ଦେଖାଇଛନ୍ତି ନିର ମୁଣ୍ଡା ।

ସତରେ ବାପା ଜୀବନ, ବାପା ସମ୍ମାନ ଆଉ ବାପା ହେଉଛନ୍ତି ଶକ୍ତିର ପରିଚୟ । ପିତା ସନ୍ତାନର ପରାଜୟ କଣ ଜାଣେନା । ବାପା ଥିଲେ ସନ୍ତାନ କଷ୍ଟ କଣ ଜାଣେନା। ସେଇଥିପାଇଁ ତ, ଏତେ ସବୁ ଦୁଃଖ ଭିତରେ ବି ଏ ଝିଅ ଓଠରେ ହସ ଲହଡି ଭାଙ୍ଗୁଛି । ତା ଆଖିର ସ୍ୱପ୍ନ ସୀମା ଡେଇଁ ଆଗକୁ ବଢିବାକୁ ବାଟ ଦେଖୁଛି । ଦୁନିଆର ସବୁ ବାପାଙ୍କୁ ଆଜି ବିଶ୍ୱ ପିତୃ ଦିବସରେ ଶତ ଶତ ପ୍ରଣାମ...