କନକ ବ୍ୟୁରୋ: ଟିକେ ପୂର୍ବରୁ ଯେଉଁ ଘରେ ଖୁସିର ଲହରି ଖେଳୁଥିଲା, ହସ ମଜାରେ ଘର ପୂରି ଉଠୁଥିଲା । ଟିକେ ପରେ ସେହି ଘରେ ଲୁହର ବନ୍ୟା, କୋହରେ ବତୁରା କାନ୍ଥ । ଝିଅର ନିର୍ବନ୍ଧ କଲେ, ହେଲେ ଝିଅର ବାହାଘର କରିପାରିଲେନି । କନ୍ୟାଦାନ କରିବା ବୋଧେ ତାଙ୍କ ଭାଗ୍ୟରେ ନଥିଲା । ଝିଅର ନିର୍ବନ୍ଧ ସରୁ ସରୁ ହିଁ ସବୁଦିନ ପାଇଁ ଆଖିବୁଜିଦେଲେ ବାପା । ଆଉ ଘରର ମୁରବୀଙ୍କ ଆକସ୍ମିକ ମୃତ୍ୟୁ ପରେ ଖୁସିର ମୁହୂର୍ତ୍ତ ସବୁ ନିରବତାର ନଈରେ ନିଖୋଜ ହୋଇଯାଇଛି ।

Advertisment

କେନ୍ଦ୍ରାପଡା ଚରିଗାଁ ପଞ୍ଚାୟତ ଜୟକୃଷ୍ଣପୁର ଗାଁର ରମେଶ ବାରିକ । ନିଜ ଏକମାତ୍ର ଝିଅର ନିର୍ବନ୍ଧ ପାଇଁ ବେଶ ଖୁସି ଥିଲେ । ମନ୍ଦିରରେ ନିର୍ବନ୍ଧର ଆୟୋଜନ କରିଥିଲେ । ବନ୍ଧୁବାନ୍ଧବ, ସମ୍ପର୍କିୟଙ୍କ ମେଳରେ ନିର୍ବନ୍ଧ କାମ ଚାଲିଥିଲା । ଭୋଜିଭାତ ଖାଇ ବେଶ ଖୁସି ଥିଲେ ସମସ୍ତେ । ହେଲେ ହଠାତ୍ ତଳେ ପଡିଗଲେ ରମେଶ । ତାଙ୍କୁ ତୁରନ୍ତ ମେଡିକାଲ ନେଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ବାସ୍ ତାପରେ ଖୁସିରେ ଫାଟିପଡୁଥିବା ଘର ଉପରେ ମାଡି ଯାଇଥିଲା ଦୁଃଖର କଳା ବାଦଲ । ଝିଅର ବାହାଘର କରିବାକୁ ଖୁସି ଥିବା ଜଣେ ବାପାଙ୍କ ଖୁସି ଖୁସିରେ ରହିଗଲା । କନ୍ୟାଦାନ କରି ପୂଣ୍ୟ ଅର୍ଜନ କରିବାର ସ୍ୱପ୍ନ ସ୍ୱପ୍ନରେ ରହିଗଲା । ଆଉ ଜୀବନ ଯାକର ପରିଶ୍ରମ କରି ଝିଅ ବାହାଘରର ସେ ମୁହୂର୍ତ୍ତକୁ ନିଜ ଆଖିରେ ଦେଖିବା ଆଗରୁ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି ଜଣେ ବାପା । ଯେଉଁ ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି ।