ଏ କି ବାପା ! ସ୍କୁଲ ଯିବାକୁ ମନା କରିବାରୁ ଝିଅକୁ ଗାଡିରେ ବାନ୍ଧି ନେଲା ବାପା, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

29

ଅଧିକାଂଶ ପିଲାମାନେ ଛୋଟବେଳେ ସ୍କୁଲ ଯିବାକୁ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ବିଭିନ୍ନ ବାହାନା କରିଥାନ୍ତି ପିଲାମାନେ । ସେମାନଙ୍କୁ ସ୍କୁଲ ପଠାଇବା ପାଇଁ ମାତା-ପିତାମାନେ ଅନେକ କଷ୍ଟ କରିଥାନ୍ତି । ବିଭିନ୍ନ ବାହାନା କରି କିପରି ନିଜ ପିଲାମାନଙ୍କୁ ସେମାନେ ସ୍କୁଲ ପଠାଇବେ ସେ ଚେଷ୍ଟାରେ ଲାଗିଥାନ୍ତି । କିନ୍ତୁ କେଉଁ ପିତା ନିଜ ପିଲାକୁ ସ୍କୁଲ ପଠାଇବା ପାଇଁ ଏପରି କରିବ ତାହା ବୋଧ ହୁଏ କେହି ଭାବି ନ ଥିବେ । ସୂଚନା ମୁତାବକ, ଚୀନରେ ଝିଅ ସ୍କୁଲ ନ ଯିବାରୁ ଜଣେ ପିତା ତାକୁ ନିଜ ଗାଡ଼ିରେ ବାନ୍ଧି ନେଉଥିବାର ଦେଖିବାକୁ ମିଳିଛି ।

ପିଲାଟି ସ୍କୁଲ ଯିବା ପାଇଁ ମନା କରି ଦେବାରୁ ସବୁ ପ୍ରକାର ଚେଷ୍ଟା କରି ବିଫଳ ହେବାପରେ ସେ ଏପରି କରିଥିବା ଜଣା ପଡ଼ିଛି । ଏହାର ଏକ ଭିଡ଼ିଓ ଏବେ ଚାଇନିଜ୍ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ବାପା ତା’ ଝିଅକୁ ଗାଡ଼ି ପଛ ପଟେ ଶୁଆଇ ବାନ୍ଧିଥିବାର ଦେଖିବାକୁ ମିଳି ଥିଲା । ଝିଅଟି ଗାଡି ଉପରେ ବନ୍ଧା ହୋଇଥିବା ବେଳେ ଗୋଡ ପଛ ଚକା ପାଖରେ ଝୁଲିକି ରହିଥିଲା । ଜୋରରେ ପିଲାଟି କାନ୍ଦୁଥିଲେ ମଧ୍ୟ ବାପା ଉପରେ ଏହାର ଟିକିଏ ପ୍ରଭାବ ପଡିନଥିଲା । ସ୍ଥାନୀୟ ଲୋକେ ଏହାର ଭିଡ଼ିଓ ବନାଇଥିବା ବେଳେ ବନ୍ଧା ହୋଇଥିବା ଝିଅଟି କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ପୁଲିସକୁ ଏ ନେଇ ସୂଚନା ମିଳିବା ପରେ ଆଗକୁ ଯେପରି ଏମିତି ନ ହୁଏ ସେ ଚେତାବନୀ ଦେଇ ବାପାକୁ ଛାଡ଼ିଥିବା ଜଣା ପଡ଼ିଛି ।