ନେତା ପୁଅ ନେତା, ରାଜ୍ୟ ରାଜନୀତି ପରମ୍ପରାର ବହୁ ପୁରୁଣା । ନେତୃତ୍ୱର ମାପକାଠି ଯଦି ସଫଳତା, ତେବେ ନିର୍ଣ୍ଣାୟକ ହେବ ନିର୍ବାଚନ । 

322

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଏଥର ଦେଖିବାକୁ ମିଳିଛି ବାପା-ପୁଅ ରାଜନୀତି । ଅର୍ଥାତ ବାପାଙ୍କ ବଦଳରେ ଏଥର ପୁଅ ଝିଅଙ୍କୁ ମିଳିଛି ଟିକେଟ୍ । ଯାହାଙ୍କ ଭାଗ୍ୟ ଭବିଷ୍ୟତ ମଧ୍ୟ ଇଭିଏମରେ ସିଲ୍ ହୋଇସାରିଛି । ଆସନ୍ତୁ ନଜର ପକାଇବା ଏମିତି କିଛି ନେତାଙ୍କ ଉପରେ ।

ସମ୍ବିତ ରାଉତରାୟ :

ବାପା ବିଜେଡି ଛାଡି ବିଜେପି ଚାଲିଯିବା ସତ୍ୱେ ନବୀନଙ୍କ ପ୍ରତି ନିଜ ଆନୁଗତ୍ୟରେ ଉଣା କରିନଥିଲେ ପୁଅ ସମ୍ବିତ ରାଉତରାୟ । ଯେଉଁଥିପାଇଁ ସମ୍ବିତଙ୍କୁ ମିଳିଥିଲା ବଡ ପୁରସ୍କାର । ବାପା ଦାମ ରାଉତଙ୍କ ଗତ ନିର୍ବାଚନୀ କ୍ଷେତ୍ର ପାରାଦ୍ୱୀପରେ ତାଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା ବିଜୁ ଜନତା ଦଳ । ତେବେ କେବଳ ଘରର ଚାରିକାନ୍ଥ ଭିତରେ ବାପା-ପୁଅର ସଂପର୍କ ବୋଲି ସ୍ପଷ୍ଟ କରିଦେଇ ବିଜେଡିର ସମ୍ମାନ ପାଇଁ ଲଢେଇକୁ ଜୋରଦାର କରିଥିଲେ ସମ୍ବିତ । ପାରିବାରିକ ସଂପର୍କ ଅପେକ୍ଷା ଦଳକୁ ଅଧିକ ଗୁରୁତ୍ୱ ଦେଇଥିବା ସମ୍ବିତଙ୍କ ପାଇଁ ପାରାଦୀପ ଫଳାଫଳ ବଡ ସମ୍ଭାବନା ଆଣିପାରେ ।

ଋଷଭ ନନ୍ଦ :

ନିର୍ବାଚନ ପୂର୍ବରୁ ବିଜେପିକୁ ଡିଆଁ ମାରିଥିଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ । ଆଉ ତାଙ୍କୁ ବେଗୁନିଆରୁ ବିଧାୟକ ପ୍ରାର୍ଥୀ କରିଥିଲା ଭାରତୀୟ ଜନତା ପାର୍ଟି । ରାଜ୍ୟ ଏନସିପିର ବିଜେଡିରେ ବିଲୟ ପରେ ପ୍ରଶାନ୍ତ ନନ୍ଦଙ୍କୁ ବିଜୁ ଜନତା ଦଳରେ ମିଳିଥିଲା ଯଥେଷ୍ଟ ଗୁରୁତ୍ୱ । ଏବେ ତାଙ୍କ ପୁଅ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଲ ଚିହ୍ନରେ କରୁଛନ୍ତି ଭାଗ୍ୟ ପରୀକ୍ଷା । ଫଳାଫଳ ଉଭୟ ପ୍ରଶାନ୍ତ ଓ ପୁଅ ଋଷଭଙ୍କ ପାଇଁ ଭିନ୍ନ ଭିନ୍ନ ପରିଣାମ ଆଣିବାକୁ ଯାଉଛି ।

ସୁନୀତା ବିଶ୍ୱାଳ :

କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦୁଇଝିଅ ସୁନୀତା ଓ ଅମିତା ବାପାଙ୍କ ସହ କଂଗ୍ରେସ କ୍ୟାମ୍ପରେ ଥିଲେ । କିନ୍ତୁ ୨୦୧୯ର ନିର୍ବାଚନୀ ପବନ ବଡଝିଅ ସୁନୀତାଙ୍କୁ ଉଡାଇନେଲା ବିଜେଡି କ୍ୟାମ୍ପକୁ । ବାପାଙ୍କ ପୂର୍ବ ଆସନ ସୁନ୍ଦରଗଡ ଲୋକସଭାରୁ ଶଙ୍ଖ ଚିହ୍ନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ବଡଝିଅ ସୁନୀତା । ଗତ ନିର୍ବାଚନରେ ପ୍ରବଳ ମୋଦୀ ହାୱା ସତ୍ୱେ ଓଡ଼ିଶାରେ ଏକମାତ୍ର ଆସନ ସୁନ୍ଦରଗଡ଼କୁ ହାତେଇଥିଲା ବିଜେପି । ଏଥର ମହିଳା କାର୍ଡ ଖେଳି ଏହି ଆସନ କବଜା କରିବାକୁ ଆଶା ବାନ୍ଧିଛି ବିଜେଡି ।

ଅମୀତା ବିଶ୍ୱାଳ :

ରୋଚକ ହେଉଛି, ବଡଝିଅ ବିଜେଡିରୁ ଲଢିଥିବାବେଳେ ହେମାନନ୍ଦଙ୍କ ସାନଝିଅ ଅମିତା କିନ୍ତୁ ସେହି ସୁନ୍ଦରଗଡ ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ଲଢିଛନ୍ତି । ସୁନ୍ଦରଗଡ଼ର ଅନ୍ୟତମ ପ୍ରଭାବଶାଳୀ ନେତା ଯୋଗେଶ ସିଂହ କଂଗ୍ରେସ ଛାଡି ବିଜେଡି ଟିକେଟରେ ସୁନ୍ଦରଗଡ଼ ବିଧାନସଭା ଆସନରେ ଲଢିଥିବା ବେଳେ କଡା ଟକ୍କର ଦେଇଛନ୍ତି କଂଗ୍ରେସର ପ୍ରାର୍ଥୀ ହେମାନନ୍ଦଙ୍କ ସାନଝିିଅ ଅମିତା ।

ଦେବୀ ରଞ୍ଜନ ତ୍ରିପାଠୀ :

ବାପା ପ୍ରଭାତ ତ୍ରିପାଠୀଙ୍କ ଲବି ହେଉ ଅଥବା ଦୀର୍ଘ ୫ବର୍ଷ ହେଲା ବିଜେଡି ରାଜନୀତିରେ ନିଜର ସକ୍ରିୟ ଭୂମିକା । ଶେଷରେ ଏହି ଯୁବ ଚେହେରାଙ୍କୁ ବାଙ୍କୀ ମୈଦାନରେ ଉତାରିବାକୁ ନିଷ୍ପତି କରିଥିଲେ ବିଜେଡି ସୁପ୍ରିମୋ । କଟକ, କେନ୍ଦ୍ରାପଡା, ଢେଙ୍କାନାଳ, ଅନୁଗୁଳ ଓ ଯାଜପୁରରେ ଦଳୀୟ କାର୍ଯ୍ୟକ୍ରମ ସହିତ ଅନେକ ସାମାଜିକ କାର୍ଯ୍ୟକ୍ରମକୁ ସେ ସୁଚାରୁ ରୂପେ ତୁଲାଇ ଆସିଛନ୍ତି । ଯେଉଁଥିପାଇଁ ଏହି ଯୁବ ନେତାଙ୍କୁ ବାଙ୍କୀରେ ବିଜେଡିର ବିଜୟ ଦାୟିତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ ।

ସୌଭିକ ବିଶ୍ୱାଳ :

କଟକ ଚୌଦ୍ୱାର ବିଧାନସଭା ଆସନରେ ବାପା ପ୍ରଭାତ ବିଶ୍ୱାଳଙ୍କୁ ରିପ୍ଲେସ କରିଥିଲେ ପୁଅ ସୌଭିକ ବିଶ୍ୱାଳ । ବଡକଥା ହେଉଛି, ବିଭିନ୍ନ ଛାତ୍ର ସଂସଦ ନିର୍ବାଚନରେ ସକ୍ରିୟ ଭୂମିକା ଗ୍ରହଣ କରିଆସିଥିଲେ ବି ନିଜେ କେବେ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ । ଆଉ ପ୍ରଥମ ପଦାର୍ପଣରେ ସୌଭିକଙ୍କ ସହ ଚୌଦ୍ୱାରରେ ବାଜିରେ ଲାଗିଛି ବାପା ପ୍ରଭାତ ବିଶ୍ୱାଳଙ୍କ ପ୍ରତିଷ୍ଠା ।

ବିଷ୍ଣୁବ୍ରତ ରାଉତରାୟ :

ଗତ ୬ ବର୍ଷ ହେଲା ଭଦ୍ରକ ଜିଲ୍ଲା ବିଜେଡିରେ ଦଳୀୟ କାର୍ଯ୍ୟକ୍ରମର ସେ ନେତୃତ୍ୱ ନେଉଥିଲେ । ବାପାଙ୍କ ପାଇଁ ୨୦୦୯ ଓ ୨୦୧୪ରେ ପ୍ରଚାର ରଣନୀତିଠାରୁ ଆରମ୍ଭ କରି ବାସୁଦେବପୁରରେ ବିଜେଡି ସଂଗଠନକୁ ସଜାଡିବାରେ ତାଙ୍କର ବିଶେଷ ଯୋଗଦାନ ରହିଥିଲା । ଯେଉଁଥିପାଇଁ ତାଙ୍କ କାମରେ ପ୍ରଭାବିତ ହୋଇ ୨୦୧୯ରେ ବିଜେଡି ପ୍ରାର୍ଥୀତ୍ୱର ପୁରସ୍କାର ଦେଇଛନ୍ତି ପାର୍ଟି ମୁଖ୍ୟ । ବିଜୟଶ୍ରୀଙ୍କ ପରେ ପୁଅ ବିଷ୍ଣୁବ୍ରତ ଭୋଟରଙ୍କ ନିକଟରେ ଗ୍ରହଣୀୟ ହେବା ସବୁଠାରୁ ବଡ ଚ୍ୟାଲେଞ୍ଜ ।

ସମରେନ୍ଦ୍ର ମିଶ୍ର :

ବଲାଙ୍ଗୀର ଲୋକସଭା ଆସନରେ କଂଗ୍ରେସ ଟିକେଟରୁ ପ୍ରତିଦ୍ୱନ୍ଦିତା କରିଛନ୍ତି ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର । ସମରେନ୍ଦ୍ରଙ୍କ ନିର୍ମଳ ଭାବମୂର୍ତିକୁ ଆଧାର କରି ନିର୍ବାଚନରେ କଡା ପ୍ରତିଦ୍ୱନ୍ଦିତା କରିଛି ବଲାଙ୍ଗିର ଲୋକସଭାରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ । ତୃଣମୂଳ ସ୍ତରରେ କାମ କରୁଥିବା ସମରେନ୍ଦ୍ର କଂଗ୍ରେସର ପକେଟ ଭୋଟ ଫେରାଇ ଆଣିବାକୁ ସମର୍ଥ ହେଉଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା ।

ସାଗର ଦାସ :

କଳାହାଣ୍ଡି ରାଜନୀତିରେ କଂଗ୍ରେସର କମବ୍ୟାକ୍ ପାଇଁ ଭବାନୀପାଟଣା ବିଧାନସଭା ଆସନରୁ ଭକ୍ତଙ୍କ ପୁଅ ସାଗର ଦାସଙ୍କୁ ଟିକେଟ୍ ଦେଇଥିଲା ଦଳ । ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍ କଥା କହୁଥିବା କଂଗ୍ରେସ, ୨୦୧୯ର ନିର୍ଣ୍ଣାୟକ ଲଢେଇ ପାଇଁ ନିଜେ କରିଥିବା ନିୟମକୁ ଭାଙ୍ଗିଦେବାକୁ ବାଧ୍ୟ ହୋଇଥିଲା । ହେଲେ ଏହାର ଫାଇଦା ମିଳୁଛି କି ନା ତାହା ମେ ୨୩ରେ ସ୍ପଷ୍ଟ ହେବ ।