କନକ ବ୍ୟୁରୋ : ପୌର ନିର୍ବାଚନ ମୈଦାନରେ ବାପା-ପୁଅର ଲଢେଇ । ଗଞ୍ଜାମ ଜିଲ୍ଲା ପୋଲସରା ଏନଏସିରୁ ଆସିଛି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାର ଏହି ରୋଚକ ଖବର । ଦୁଇ ନମ୍ବର ୱାର୍ଡରେ ବାପା ବିରୋଧରେ ଠିଆ ହୋଇଛି ପୁଅ । ବାପା ବିଜେପି ପ୍ରାର୍ଥୀ ଓ ପୁଅ ବିଜେଡି କାଉନସିଲର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ପୋଲସରା ଏନଏଏସିର ପ୍ରଥମ ମହିଳା ଅଧ୍ୟକ୍ଷାଙ୍କ ପରିବାରର ଏହି ପ୍ରତିଦ୍ୱନ୍ଦ୍ୱିତା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବାପା ବନାମ ପୁଅ । ବାପା ବିଜେପି, ପୁଅ ବିଜେଡି ପ୍ରାର୍ଥୀ । ପୋଲସରା ଏନଏସିରୁ ଆସିଛି ଏମିତି ଏକ ରୋଚକ ଖବର । ଏନଏସିର ଦୁଇ ନମ୍ବର ୱାର୍ଡରୁ ପ୍ରାର୍ଥୀ ହୋଇଛନ୍ତି ବାପା ଓ ପୁଅ । ବାପା ଦୁର୍ଯ୍ୟୋଧନ ସାହୁ ବିଜେପିରୁ ପ୍ରାର୍ଥୀ ହୋଇଥିବାବେଳେ, ବିଜେଡିରୁ ସାନ ପୁଅ ଅନିଲ ସାହୁ ପ୍ରାର୍ଥୀ ହୋଇଛନ୍ତି । ବାପା ପୁଅ ନାମାଙ୍କନ ଦାଖଲ କରିବା ପରେ ସ୍ଥାନୀୟ ଅଞ୍ଚଳରେ ବାପା ପୁଅଙ୍କ ରାଜନୀତି ଚର୍ଚ୍ଚାର ବିଷୟ ହୋଇଛି ।
ପୋଲସରାର ପ୍ରଥମ ମହିଳା ଅଧ୍ୟକ୍ଷା ହୋଇଥିଲେ ଦୁର୍ଯ୍ୟୋଧନଙ୍କ ପତ୍ନୀ ସୌଦାମିନି ସାହୁ । ଏଥିସହ ଦୁର୍ଯ୍ୟୋଧନ ମଧ୍ୟ ବହୁବାର କାଉଁନସିଲର ଭାବେ ବିଜୟୀ ହୋଇଛନ୍ତି । ହେଲେ, ଏଥର ପରସ୍ଥିତି ବଦଳିଯାଇଛି । ଏଥର ଦୁର୍ଯ୍ୟୋଧନଙ୍କୁ ନିଜ ପୁଅ ସହ ଲଢ଼େଇ କରିବାକୁ ପଡିବ । ତେଣୁ ଆଗାମି ଦିନରେ ଏଠାରେ ଏକ ଭିନ୍ନ ପ୍ରକାରର ଲଢ଼େଇ ଦେଖିବାକୁ ମିଳିଛି ।
ସବୁଠୁ ରୋଚକ କଥା ହେଉଛି ଏହି ୱାର୍ଡରୁ ବାପା, ଜିତନ୍ତୁ କି ପୁଅ ଯିଏ ବି ଜିତିବ ସେ, ଗୋଟିଏ ପରିବାରର । ଦଳ ଅଲଗା ହେଲେ ବି ସାହୁ ପରିବାରର ସଦସ୍ୟ ୱାର୍ଡରେ କାଉଁନସିଲର ହେବେ । କେବଳ ଏତିକି ନୁହେଁ ସୌଦାମିନୀ ମଧ୍ୟ ଆଉ ଏକ ୱାର୍ଡରୁ ବିଜେପି ଟିକେଟରେ ଲଢ଼ୁଛନ୍ତି ।