କଂଗ୍ରେସରେ ଫେରିଲା ବାପ,ପୁଅ ପ୍ରସଙ୍ଗ । ବଲାଙ୍ଗୀର ବିଧାନସଭାରୁ ନରସିଂହ, ଲୋକସଭାରୁ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଟିକେଟ

କଳାହାଣ୍ଡିରୁ ଭକ୍ତ ଦାସ ଓ ପାଟଣାଗଡରୁ ପୁଅ ସାଗର ଦାସଙ୍କୁ କଂଗ୍ରେସ ଟିକେଟ

415

କନକ ବ୍ୟୁରୋ: ପ୍ରାର୍ଥି ତାଲିକା ପ୍ରକାଶ ପାଇବା ପରେ ବଦଳି ଯାଇଛି ରାଜନୈତିକ ଚିତ୍ର । ଆଉ ଏହାରି ଭିତରେ କଂଗ୍ରେସରେ ରାଜନୈତିକ କ୍ଷେତ୍ରରେ ବାପ-ପୁଅ ପ୍ରସଙ୍ଗକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ କଳାହାଣ୍ଡିରୁ ଲୋକସଭା ଆସନରେ ନିର୍ବାଚନ ଲଢିବେ ଭକ୍ତ ଚରଣ ଦାସ ଏବଂ ଅନ୍ୟପଟରେ ଭବାନୀପାଟଣାରୁ ଲଢିବେ ତାଙ୍କ ପୁଅ ସାଗର ଦାସ । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

 

ସେହିଭଳି ବଲାଙ୍ଗୀର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଦଳ ଠିଆ କରିଥିବା ବେଳେ ବଲାଙ୍ଗୀର ଲୋକସଭା ଆସନରେ ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଟିକେଟ୍ ଦେଇଛି ଦଳ । ତେବେ କଂଗ୍ରେସରେ ଏହି ବାପ-ପୁଅ ରାଜନୀତି ପୁଣି ଥରେ ଫେରିଥିବା କୁହାଯାଉଛି । କାହିଁକି ନା କଂଗ୍ରେସର ଦୁଇ ଦୁଇଟି ଆସନରେ ଦେଖିବାକୁ ମିଳିବ ବାପ-ପୁଅ ଲଢେଇ ।

ବଲାଙ୍ଗୀର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଠିଆ କରିଛି । ସମରେନ୍ଦ୍ର ଏଆଇସିସିର ସଦସ୍ୟ ଓ ପିସିସିର ବରିଷ୍ଠ ମୁଖପାତ୍ର ଅଛନ୍ତି। ୨୦୦୪ରେ ନରସିଂହ ମିଶ୍ର ନିର୍ବାଚନ ଜିତିବା ପରେ ସମରେନ୍ଦ୍ର ରାଜନୀତିରେ ଯୋଗ ଦେଇଥିଲେ। ଆଉ ସେବେଠାରୁ ନରସିଂହ ମଧ୍ୟ ପୁଅ ସମରେନ୍ଦ୍ରଙ୍କୁ ପ୍ରୋଜେକ୍ଟ୍ କରି ଆସୁଥିଲେ। କଂଗ୍ରେସର ବିଭିନ୍ନ ସମାବେଶ ଓ କାର୍ଯ୍ୟକ୍ରମ ଆୟୋଜନରେ ସମରେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଜିଲ୍ଲା ଇସ୍ତାହାର କମିଟିର ମଧ୍ୟ ସେ ସଂଯୋଜକ ଥିଲେ।