ସଡ଼କ ଦୁର୍ଘଟଣାରେ ବାପ-ପୁଅ ମୃତ: ଖବର ଶୁଣିବା ପରେ ଚାଲିଗଲେ ଦାଦା

273

କନକ ବ୍ୟୁରୋ: ଆଗପଛ ହୋଇ ଚାଲିଗଲା ଗୋଟିଏ ପରିବାରର ୩ଜୀବନ । କେନ୍ଦୁଝର ଢେଙ୍କିକୋଟରେ ସ୍କୁଟି ଉପରେ ଟ୍ରକ ମାଡିଯିବାରୁ ବାପ-ପୁଅଙ୍କର ମୃତ୍ୟୁ ହୋଇଯାଇଥିଲା । ଏବଂ ଏହାପରେ ଖବର ଶୁଣି ହୃଦଘାତରେ ଦାଦାର ମୃତ୍ୟୁ ହୋଇଯାଇଛି ।

ଗୋଟିଏ ପରିବାରର ୩ଜଣଙ୍କ ଜୀବନ ଅକାଳ ବିୟୋଗ ଖବରରେ ସ୍ତବ୍ଧ ହୋଇଯାଇଛି କେନ୍ଦୁଝର ସଦର ବାରିଗାଁ । ନିଷ୍ଠୁର ନିୟତି ଗୋଟିଏ ପରିବାର ଉପରେ ଦାଉ ସାଧିଛି । ଗୋଟିଏ ଦିନରେ ଆଗପଛ ହୋଇ ଚାଲିଯାଇଛନ୍ତି ପରିବାରର ତିନି ଜଣ ମୁରବୀ । ପୁରା ଘଟଣା ଥିଲା ଏହିପରି ସକାଳୁ ଏକ ସ୍କୁଟିରେ ବାପା କାଣ୍ଡେ ମୁଣ୍ଡା ଓ ପୁଅ ଲକ୍ଷ୍ମଣ ବାଙ୍କପାଟୁଳି ସାପ୍ତାହିକ ହାଟକୁ ଏକ ସ୍କୁଟିରେ ବାହାରିଥିଲେ । ୨୦ନମ୍ବର ଜାତୀୟ ରାଜପଥ କେନ୍ଦୁଝର-ଢେଙ୍କିକୋଟ ପିପିଳିଆ ଛକ ନିକଟରେ ଏକ ଲୁହାରଡ ବୋଝେଇ ଟ୍ରକ ଚାପାରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ଶୁଣି ପରିବାରରେ କାନ୍ଦବୋବାଳି ପଡିଥିଲା । ଆଉ ସେହି ସମୟରେ ହୃଦଘାତରେ ଟଳିପଡିଲେ ଦାଦା ସମରା ମୁଣ୍ଡା ।

ପିପିଳିଆ ଛକରେ ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତୁରନ୍ତ ମୃତଦେହକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏହି ଖବର ବାରିଗାଁରେ ପହଂଚିବା ପରେ ଖେଳିଯାଇଛି ଶୋକର ଛାୟ । ରାସ୍ତା ଦୁର୍ଘଟଣାରେ ୨ ଜଣ ଓ ଘରେ ଜଣକର ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ପୂରା ପରିବାର ।

ପିପିଳିଆ ଛକରେ ଦୁର୍ଘଟଣା ପରେ ଉତେଜନା ଦେଖା ଦେଇଥିଲା । ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ୨୦ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିବାରୁ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟଳି ରହିଥିଲା । ପୋଲିସ ପ୍ରଶାସନ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।