ଝିଅ ପଢ଼ିବ ଅନଲାଇନ୍ ପାଠ, ଗାଈ ବିକି ସ୍ମାର୍ଟଫୋନ୍ କିଣିଲେ ବାପା । ଅନଲାଇନ ପାଠପଢାର ଅସଲ ଚିତ୍ର, ମୋବାଇଲ୍ କିଣିଲା ପରେ ବି ହୋଇପାରୁନି ଝିଅର ପାଠପଢ଼ା, ଟେଲିଫୋନ୍ ନେଟୱାର୍କ ସୃଷ୍ଟି କରୁଛି ସମସ୍ୟା ।

821

କନକ ବ୍ୟୁରୋ : ଝିଅ ଅନଲାଇନ ପାଠପଢା ପାଇଁ ଗାଈ ବିକି ମୋବାଇଲ୍ କିଣିଲେ ଦିନ ମଜୁରିଆ ବାପା । ଅନଲାଇନ ଶିକ୍ଷାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଏମିତି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ଖଲାଡି ପଂଚାୟତର ଦୁତିକାଦେଇପୁର ଗାଁରେ । ଗରିବ ଦିନ ମଜୁରିଆ ବାପା, ଝିଅର ଅନଲାଇନ୍ ପାଠ ପଢା ପାଇଁ ବାଧ୍ୟ ହୋଇ ଗାଈ ବିକ୍ରି କରି ମୋବାଇଲ୍ କିଣିଛନ୍ତି ।

ମୟୂରଭଂଜ ଜିଲ୍ଲା ଉଦଳା ବ୍ଲକର ଏହି କାହାଣୀ ଆପଣଙ୍କୁ ଭାବିବା ପାଇଁ ଅନେକ ଖୋରାକ ଯୋଗାଇବ । ନବମ ଶ୍ରେଣୀରେ ପଢ଼ୁଥିବା କୌଶଲ୍ୟାଙ୍କୁ ସ୍କୁଲରେ କୁହାଗଲା, ଅନଲାଇନ କ୍ଲାସ ହେବ, ତେଣୁ ମୋବାଇଲ କିଣ । କିନ୍ତୁ ମୋବାଇଲ କିଣିବା ପାଇଁ କହିବା, ଆଉ ଟଙ୍କା ଯୋଗାଡ଼ କରି ମୋବାଇଲ କିଣିବା ଭିତରେ ଏତେ ଯେ ଫରକ ଅଛି, ଏହି କାହାଣୀରୁ ଆପଣ ଜାଣିିପାରିବେ ।

ବାପା ପାଠ ପଢ଼ି ନାହାନ୍ତି, ହେଲେ ଝିଅଙ୍କୁ ପାଠ ପଢ଼ାଇ ବଡ଼ ମଣିଷ କରିବାକୁ ପଣ କରିଛନ୍ତି । ମୋବାଇଲ ପାଇଁ ଦରକାର ଥିଲା ୧୫ ହଜାର ଟଙ୍କା, ଆଉ ଏହି ଟଙ୍କା ଯୋଗାଡ଼ କରିବା ତାଙ୍କ ପାଇଁ ବେଶ୍ କଷ୍ଟକର ଥିଲା । ପିଏମ୍ କିଷାନ ଯୋଜନାରୁ ମିଳିଥିବା ଲୋନ୍, ପୁଅର କିଛି ସ୍କଲାରସିପ୍ ପଇସା ମିଶାଇଲେ, କିନ୍ତୁ ମୋବାଇଲ କିଣିବାକୁ ପଇସା ଅଣ୍ଟିଲାନି ।

ଯେମିତି ହେଲେବି ଝିଅ ପାଠ ପଢ଼ିବ । ଆଉ ମୋବାଇଲ ସେଥିପାଇଁ ଜରୁରୀ । ସେଥିପାଇଁ ବେଶୀ କିଛି ଚିନ୍ତା ନକରି ଘରର ଗୋଟିଏ ଗାଈକୁ ବିକ୍ରି କରିଦେଲେ ବାପା । ଗାଈ ବିକି ମିଳିଥିବା ୬ ହଜାର ଟଙ୍କାେରେ କିଣିଲେ ମୋବାଇଲ ।

କରୋନା ମହାମାରୀ ପାଇଁ ସହର ମାନଙ୍କରେ ଆମେ ଦେଖୁଛୁ ପ୍ରତି ଘରର ପିଲା ଅନଲାଇନରେ ପାଠ ପଢ଼ୁଛନ୍ତି । ହେଲେ କିଛି ଲୋକଙ୍କ ପାଇଁ ମୋବାଇଲ କିଣିବା କେତେ ବଡ଼ କଷ୍ଟକର ବ୍ୟାପାର, ଏହି କାହାଣୀ ସ୍ପଷ୍ଟ ବୟାନ କରୁଛିି । ଆଉ ଏକଥା ଶୁଣି ଆପଣଙ୍କୁ ଖରାପ ଲାଗିବ ଯେ, ଏତେ କଷ୍ଟରେ ମୋବାଇଲ କିଣିବା ପରେ ବି କୌଶଲ୍ୟାଙ୍କ କାମରେ ଆସୁ ନାହିଁ, କାରଣ ତାଙ୍କ ଗାଁରେ ନେଟୱର୍କ ଠିକ୍ ନାହିଁ ।