ଝିଅର ଅନଲାଇନ୍ ପାଠପଢା ଲାଗି ମୋବାଇଲ କିଣିବାକୁ ଗାଈ ବିକିଲେ ଦିନ ମଜୁରିଆ ବାପା । ମୟୁରଭଞ୍ଜ ଉଦଳାରୁ ଆସିଲା ଅନଲାଇନ ପାଠପଢାର ଅସଲ ଚିତ୍ର ।

1,418

କନକ ବ୍ୟୁରୋ : ଅନଲାଇନ ପାଠପଢା ପାଇଁ ଗାଈ ବିକି ମୋବାଇଲ୍ କିଣିଲେ ଦିନ ମଜୁରିଆ ବାପା । ଅନଲାଇନ ଶିକ୍ଷାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଏମିତି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ଖଲାଡି ପଂଚାୟତର ଦୁତିକାଦେଇପୁର ଗାଁରେ । ଗରିବ ଦିନ ମଜୁରିଆ ବାପା, ଝିଅର ଅନଲାଇନ୍ ପାଠ ପଢା ପାଇଁ ବାଧ୍ୟ ହୋଇ ଗାଈ ବିକ୍ରି କରି ମୋବାଇଲ୍ କିଣିଛନ୍ତି ।

ଦୁତିକାଦେଇପୁର ଗାଁର ଗଣେଶ୍ୱର ଜେନା ଦିନ ମଜୁରିଆ ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ବୁଢି ମା, ସ୍ତ୍ରୀ, ପୁଅ ଓ ଝିଅ ନେଇ ସଂସାର । ନିଜେ ମୁଲ ଲାଗନ୍ତି ହେଲେ ପାଠର ଗୁରୁତ୍ୱ ଭଲଭାବରେ ବୁଝିଛନ୍ତି ଗଣେଶ୍ୱର । ତେବେ କରୋନା ଯୋଗୁଁ କାମଧନ୍ଦା ବନ୍ଦ ହୋଇପଡିବା ଯୋଗୁଁ ବହୁ କଷ୍ଟରେ ଚଳୁଛନ୍ତି । ହେଲେ ପୁଅକୁ କଲେଜ ଓ ଝିଅକୁ ପଢାଇବାରେ କୌଣସି ଅବହେଳା କରିନାହାନ୍ତି । ଝିଅ କୌଶଲ୍ୟା ଜେନା ଜୁଆଳିଆ ସ୍ଥିତ ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ରୀ ।

ତେବେ ସରକାରୀ ନିର୍ଦ୍ଦେଶ ଅନୁସାରେ ଅନଲାଇନ ପାଠ ପଢା ଚାଲିଛି । କିନ୍ତୁ ମୋବାଇଲ୍ ନଥିବାରୁ ପାଠପଢା ହୋଇପାରୁନଥିଲା । ମୋବାଇଲ୍ ଯେ ନିହାତି ଜରୁରୀ ବୁଝି ପାରି ଏକ ଗାଈକୁ ବିକି ମୋବାଇଲ ଆଣିବାକୁ ନିଷ୍ପତି ନେଇଥିଲେ । ୬ ହଜାରରେ ଗାଈକୁ ବିକି ଧାର କରଜ କରି ୧୫ ହଜାର ଟଙ୍କାରେ ମୋବାଇଲ କିଣି ଝିଅକୁ ଦେଇଥିଲା । ଝିଅ ମୋବାଇଲରେ ଅନଲାଇନ୍ ଜରିଆରେ ପାଠ ପଢିବାକୁ ଆରମ୍ଭ କରିଛି ।