ନବଜାତକୁ ହସ୍ପିଟାଲରେ ଛାଡି ପଳାଇଲେ ବାପା । ପୋଲିସ ଧରିବାରୁ ବାପା କହିଲେ ଏଭଳି କଥା...

ନବଜାତକୁ ହସ୍ପିଟାଲରେ ଛାଡି ପଳାଇଲେ ବାପା । ପୋଲିସ ଧରିବାରୁ ବାପା କହିଲେ ଏଭଳି କଥା...

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୨ ଦିନର ଶିଶୁକନ୍ୟାକୁ ଛାଡ଼ି ଦେଇ ବାପା ଫେରାର ହୋଇଯାଇଥିଲେ। ତାଙ୍କୁ ଖୋଜା ଚାଲିଥିବାବେଳେ ନବଜାତକର ବାପା ପୁଲିସକୁ ଯୋଗାଯୋଗ କରି ଟଙ୍କା ପାଇଁ ସେ ଘରକୁ ଯାଇଥିବା କହିଛନ୍ତି। ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ପ୍ରଶାନ୍ତ ନାୟକ ନିଜର ଶିଶୁକନ୍ୟାକୁ ଆମ୍ବୁଲାନ୍ସରେ ଆଣି କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ନବଜାତକୁ ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟ (ଏସ୍‌ଏନ୍‌ସିୟୁ)ରେ ଭର୍ତ୍ତି କରା ଯାଇଥିଲା। ତେବେ ଚିକିତ୍ସା ଭିତରେ ମେଡିକାଲ ଟିମ୍‌ ଜାଣିବାକୁ ପାଇଥିଲା ଯେ ପିଲାଟି ପାଖରେ କେହି ନାହାନ୍ତି। ବାପା ମା’ଙ୍କୁ ସେମାନେ ଦେଇଥିବା ମୋବାଇଲ ନମ୍ବର ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲା। କିନ୍ତୁ ଯୋଗାଯୋଗ ହୋଇପାରି ନଥିଲା। ଶିଶୁକନ୍ୟାର ବାପାଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ଆଜି ଅପରାହ୍ନ ଭିତରେ ବାପାମାଆ ଯୋଗାଯୋଗ ନକଲେ ଥାନା ଓ ଚାଇଲ୍ଡ ଲାଇନକୁ ଏ ବାବଦରେ ଅବଗତ କରାଯିବ ‌ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଥିଲେ। ତେବେ ତା’ପୂର୍ବରୁ ଗଣମାଧ୍ୟମରୁ ଖବର ପାଇ କିଛି ଲୋକ ପ୍ରଶାନ୍ତଙ୍କୁ ଖବର ଦେଇଥି‌ଲେ। ଖବର ପାଇବା ପରେ ମୋବାଇଲ ଅନ୍‌ କରିବା ସହିତ ପୁଲିସ ସହ କଥା‌ ‌ହୋଇଛନ୍ତି ପ୍ରଶାନ୍ତ। ଟଙ୍କା ନଥିବାରୁ ସେ ଟଙ୍କା ପାଇଁ ଘରକୁ ଆସିଥିବା କହିଛନ୍ତି। ଦିନମଜୁରିଆ କାମ କରି ଟଙ୍କା ଆଣିବା ପାଇଁ ସେ ଘରକୁ ପଳାଇଥିବା ପୁଲିସକୁ କହିଛନ୍ତି। ଆସନ୍ତାକାଲି ସକାଳୁ ସେ ହସ୍ପିଟାଲ ଆସିବେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ନବଜାତକର ମା’ ଖଣ୍ଡପଡ଼ା ଡାକ୍ତରଖାନାରେ ଚିକିତ୍ସା୍ଧିନ ଥିବା ଜଣା ଯାଇଛି।

କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଲିଙ୍ଗରାଜ ପ୍ରଧାନ କହିଛନ୍ତି, ‘‘ଶିଶୁକନ୍ୟାର ବାପା ପ୍ରଶାନ୍ତ ନାୟକ ଓ ମା’ ମମତା ନାୟକଙ୍କ ଘର ନୟାଗଡ଼ ଦଶପଲ୍ଲା ଖଣ୍ଡପଡ଼ା ଅଞ୍ଚଳରେ। ନୟାଗଡ଼ରେ ପିଲାର ଜନ୍ମ ହୋଇଥିଲା। ତା’କୁ ୧୯ ଦିନ ଯେବେ ହେଲା, ତା’ ବାପା ମା’ ତା’କୁ କ୍ୟାପିଟାଲ ହସ୍ପିଟାଲକୁ ଆଣି ଆସିଥିଲେ। ସେତେବେଳେ ତା’ର ଓଜନ ୮୬୦ ଗ୍ରାମ ଥିଲା। ଏହା ସାଧାରଣ ଶିଶୁର ଓଜନ ୨କେଜି ୫୦୦ ଗ୍ରାମ ଠାରୁ ବହୁତ କମ୍‌। ସେ ଜଣେ ଅପରିପକ୍ୱ ଶିଶୁ ହୋଇଥିବାରୁ ହସ୍ପିଟଲରେ ସେହି ଅନୁସାରେ ଚିକିତ୍ସା ଚାଲିଥିଲା। ଆମେ ଲଗାତାର ଭାବେ ବାପା ଓ ମା’ଙ୍କୁ ଶିଶୁର ଖବର ଦେଉଥିଲୁ। କିନ୍ତୁ ଆଜି ସକାଳୁ ହଠାତ୍‌ ତାଙ୍କୁ ଆଉ ପାଇଲୁ ନାହିଁ। ତେଣୁ ଉପରିସ୍ଥ ଅଧିକାରୀଙ୍କୁ ଓ ପୁଲିସରେ ସୂଚନା ଦେଇଛୁ। ପିଲାଟି ଅସୁସ୍ଥ ଥିବାରୁ ତା’କୁ ନେଇ ତା’ ବାପା ଓ ମା’ ଭୟଭୀତ ଥିଲେ। ପୂର୍ବରୁ ଗୋଟାଏ ରକ୍ତ ଦିଆଯାଇଥିଲା ଏବଂ ଆଜି ମଧ୍ୟ ଆଉ ଗୋଟିଏ ଦିଆଯାଉଛି। ବର୍ତ୍ତମାନ ଏସ୍‌ଏନ୍‌ସିୟୁ ଭିତରେ ତା’ର ଚିକିତ୍ସା ଚାଲିଛି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe