ଝିଅକୁ ଖୋଜୁଛି ବାଂଲାଦେଶୀ ବାପା । ଦେହ ବ୍ୟବସାୟ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଝିଅ । ଘରକୁ ଫେରାଇ ନେବାକୁ ଖୋଜି ଖୋଜି ବାଂଲାଦେଶରୁ ଓଡ଼ିଶାରେ ପହଞ୍ଚିଲେ ବାପା

925

କନକ ବ୍ୟୁରୋ: ଝିଅକୁ ଖୋଜି ଖୋଜି ବାଂଲାଦେଶରୁ ଓଡ଼ିଶା ଧାଇଁ ଆସିଛନ୍ତି ଜଣେ ବାପା । ଘର ଧାରନଗଞ୍ଜ, ବାଂଲାଦେଶ । ଚାକିରି ପ୍ରଲୋଭନ ଦେଖାଇ ଏହି ବ୍ୟକ୍ତିଙ୍କ ଝିଅକୁ କୋଲକତା ନେଇ ଆସିଥିଲେ କିଛି ବ୍ୟକ୍ତି । ଆଉ କୋଲକତା ପହଂଚିବା ପରେ ବଦଳି ଯାଇଥିଲା ପୂରା କାହାଣୀ । ଯୁବତୀ ଜଣଙ୍କୁ ଏଭଳି ଏକ ପେଶାରେ ନିୟୋଜିତ କରାଯାଇଥିଲା, ଯେଉଁ ପେଶାରୁ ବାହାରି ଆସିବା ସମ୍ଭବ ନଥିଲା । କୋଲକତାରୁ ଭୁବନେଶ୍ୱର, ଦେହ ବ୍ୟବସାୟର ଅନ୍ଧକାର ଗଳିରେ ଫସିଯାଇଥିଲେ ବାଂଲାଦେଶୀ ଯୁବତୀ । ଆଉ ଏବେ ଝିଅକୁ ଫେରାଇ ନେବାକୁ ଭୁବନେଶ୍ୱରରେ ପହଂଚିଛନ୍ତି ବାପା ।

କିଛି ଦିନ ପୂର୍ବରୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଂଚଳରୁ ଗିରଫ ହୋଇଥିଲେ ବାଂଲାଦେଶୀ ଯୁବତୀ । ଯୁବତୀ ଜଣକ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ସାମ୍ନାକୁ ଆସିଥିଲା ଘଟଣା ପଛର କାହାଣୀ । ଏହି ବାଂଲାଦେଶୀ ଯୁବତୀ ବେଆଇନ ଭାବେ ବାଂଲାଦେଶରୁ ଆସି ରହୁଥିବା ଅଭିଯୋଗରେ ଗିରଫ କରିଥିଲା ଲକ୍ଷ୍ମୀସାଗର ପୁଲିସ । ଏବେ ଯୁବତୀ ଜଣକ ଝାରପଡା ଜେଲରେ ଅଛନ୍ତି । ଝାରପଡା ଜେଲରେ ଝିଅକୁ ସାକ୍ଷାତ କରିବା ପରେ, ଝିଅକୁ କେମିତି ଜେଲରୁ ମୁକୁଳାଇବେ ସେ ନେଇ ଜଣେ ଓକିଲଙ୍କ ସହ ପରାମର୍ଶ କରିଥିବା ସୂଚନା ମିଳିଛି ।

ତେବେ ବଡ଼ କଥା ହେଉଛି ଏହି ଯୁବତୀଙ୍କୁ ଗିରଫ କରିବା ପରେ ଏକ ଆନ୍ତର୍ଜାତୀୟ ସେକ୍ସ ରାକେଟର ଠାବ କରିଥିଲା ଏସଟିଏଫ । ଆଉ ପୁରୁଣା ଭୁବନେଶ୍ୱର ଅଂଚଳରୁ ୬ ଜଣ ବାଂଲାଦେଶୀ ଦେହଜୀବୀଙ୍କୁ ଗିରଫ କରାଯାଇଥିଲା । ଏହି ୬ ଜଣ ଯୁବତୀଙ୍କୁ ଏବେ ଉଦ୍ଧାର ଗୃହରେ ରଖାଯାଇଛି । ତେବେ ପ୍ରଶ୍ନ ଉଠୁଛି ଏମାନଙ୍କ ବିରୋଧରେ ବେଆଇନ୍ ଅନୁପ୍ରବେଶର ଧାରା ଲାଗୁନି କାହିଁକି?