ଆପ ପ୍ରାର୍ଥୀଙ୍କ ପୁଅ ଆଣିଲେ ବଡ ଅଭିଯୋଗ । କହିଲେ ଟିକେଟ ପାଇଁ ବାପାଙ୍କ ଠାରୁ ୬ କୋଟି ନେଇଛନ୍ତି କେଜ୍ରିୱାଲ । ଭିଡିଓରେ ବଖାଣିଲେ ପୂରା କଥା

257

ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବଡ ଅଭିଯୋଗ । କୋଟି କୋଟି ଟଙ୍କା ନେଇ ଟିକେଟ ବାଣ୍ଟୁଛନ୍ତି କେଜ୍ରିୱାଲ । ଏଭଳି ସଙ୍ଗୀନ ଅଭିଯୋଗ ଅନ୍ୟ କୌଣସି ନେତା ନୁହେଁ ବରଂ ଆମ ଆଦମୀ ପାର୍ଟିର ଜଣେ ପ୍ରାର୍ଥୀଙ୍କ ପୁଅ ଆଣିଛନ୍ତି । ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଏଭଳି କେଜ୍ରିୱାଲଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିବା ଦିଲ୍ଲୀ ରାଜନୀତିକୁ ଉଷ୍ମ କରିଛି ।

ପଶ୍ଚିମ ଦିଲ୍ଲୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆପ୍ ପ୍ରାର୍ଥୀ ହୋଇଥିବା ବଲ୍‌ବୀର ସିଂ ଜାଖରଙ୍କ ପୁଅ ଉଦୟ କହିଛନ୍ତି ଯେ, ଟଙ୍କା ଦେଇ ତାଙ୍କ ବାପା ଆପ୍ ଟିକେଟ୍ ପାଇଛନ୍ତି। ସେ କହିଛନ୍ତି ,‘ମୋ ବାପା ମାତ୍ର ୩ ମାସ ଆଗରୁ ରାଜନୀତିରେ ଯୋଗ ଦେଇଛନ୍ତି। ସେ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କୁ ୬ କୋଟି ଟଙ୍କା ଦେଇ ଟିକେଟ ପାଇଛନ୍ତି।’ ଏ ନେଇ ତାଙ୍କ ପାଖରେ ପ୍ରମାଣ ରହିଛି ବୋଲି ଦାବି କରିଛନ୍ତି ଉଦୟ। ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ଉଦୟଙ୍କ ଏହି ବୟାନର ଭିଡିଓ ମଧ୍ୟ ଜାରି କରିଛି।

ତେବେ ପୁଅ ଉଦୟଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ବାପା ବଲବୀର । ସେ କହିଛନ୍ତି, ଉଦୟଙ୍କ ମା ସହିତ ତାଙ୍କର ମାତ୍ର ଗୋଟିଏ ବର୍ଷର ସର୍ମ୍ପକ । ୨୦୦୯ରେ ଉଦୟଙ୍କ ମା’ଙ୍କ ସହ ମୋର ଛାଡପତ୍ର ହୋଇଥିଲା । ଉଦୟ ଯେବେ ଠାରୁ ଜନ୍ମଗ୍ରହଣ କରିଛନ୍ତି ସେବେଠାରୁ ସେ ତାଙ୍କର ଅଜା ଓ ଆଇଙ୍କ ସହ ରହୁଛନ୍ତି । ଟିକେଟ ନେଇ ପୁଅ ଉଦୟଙ୍କ ସହ କୌଣସି ପ୍ରକାର ଆଲୋଚନା ହୋଇନାହିଁ । ବହୁତ କଷ୍ଟରେ ପୁଅ ଉଦୟଙ୍କ ସହ କଥା ହେବାକୁ ସୁଯୋଗ ମିଳିଥାଏ । ତେଣୁ ତାଙ୍କ ପୁଅ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ବଲବୀର ।