ବାପା ନା ସୈତାନ ? ସାମାନ୍ୟ ହନୁମାନ ଟଙ୍କା ପାଇଁ କୁନି ଝିଅକୁ ହତ୍ୟା କଲା ବାପା । ଦିଶାରୀ କଥାରେ ଗାଁ ଠାକୁରାଣୀଙ୍କ ପାଖେ ଦେଲା ବଳୀ !

1,172

କନକ ବ୍ୟୁରୋ: ହନୁମାନ ଟଙ୍କା ପାଇଁ ହତ୍ୟା ! ପିଶାଚ ସାଜିଲା ବାପା । ନିଜ ଝିଅକୁ ଦେଲା ନରବଳୀ ? ହୁଏତ ଏ ଖବର ବାପ-ଝିଅ ଭିତରେ ଥିବା ଭରସାକୁ ଭାଙ୍ଗି ଦେଇପାରେ ? ବିଶ୍ୱାସର ଡାକରେ ବିଷ ମିଶାଇପାରେ? ଆଉ ଝିଅର ମୁଣ୍ଡ ଉପରେ ଥିବା ବାପର ସୁରକ୍ଷିତ ହାତ ଉପରେ ସନ୍ଦେହ ଆଣିପାରେ ? କାରଣ ଏଠି ଯେଉଁ ବାପା ଜନ୍ମଦେଇଥିଲା ସିଏ ଜୀବନ ନେଇଗଲା । ଲୋଭ ଆଗରେ କୁନି ଝିଅକୁ ବଳି ଦେଇଦେଲା । ଆଉ ହନୁମାନ ଟଙ୍କା ପାଇଁ ହତ୍ୟାକାରୀ ସାଜିଲା । ନରବଳୀର ଏ ଲୋମ ଟାଙ୍କୁରା କାହାଣୀ ଆସିଛି କୋରାପୁଟରୁ ଯେଉଁଠି ଜଣେ ବାପା ସାଜିଛି ସୈତାନ ।

କୋରାପୁଟ ପଟାଙ୍ଗି ବ୍ଲକ ଟାଉପଦର ଗାଁର ବାଙ୍ଗୁରୁ ପାଙ୍ଗି । ହନୁମାନ ଟଙ୍କା ଲୋଭରେ ନିଜ ଝିଅକୁ ବଳୀ ଦେଇଥିବା ଅଭିଯୋଗ ହୋଇଛି । ଦିଶାରୀ କଥାରେ ପଡି ନିଜ ୬ ବର୍ଷର କୁନି ଝିଅକୁ ମାରି ପୋତି ଦେଇଥିଲା ବାପା । ଦିଶାରୀ କହିଛି ହନୁମାନ ଟଙ୍କା ହାସଲ କରିବାକୁ ହେଲେ ନିଜ ରକ୍ତର କାହାକୁ ହତ୍ୟା କରିବାକୁ ପଡିବ । ତେଣୁ ଦିଶାରୀର ନିର୍ଦ୍ଦେଶ ଅନୁସାରେ ନିଜ ଝିଅକୁ ବଳୀ ଦେବାକୁ ମନସ୍ଥ କରିଥିଲା ବାପା । ଆଉ ୨୧ ତାରିଖ ରାତି ଅଧରେ ଗାଁ ଠାକୁରାଣୀ ପାଖରେ ପ୍ରଥମ ଶ୍ରେଣୀରେ ପଢୁଥିବା ନିଜ ଝିଅକୁ ବଳୀ ଦେଇ ପୋତି ଦେଇଥିଲା ରାକ୍ଷାସ ବାପା । ଟଙ୍କା ଲୋଭ ଏତେ ଘାରିଥିଲା ଯେ ବଳୀ ପରେ ଝିଅର ଜିଭ କାଟି, ଆଖି ତାଡି ଆଣିଥିଲା ପିଶାଚ ବାପା ।

ତେବେ ହତ୍ୟା ପରେ ଝିଅ କେଉଁଆଡେ ପଳାଇ ଯାଇଛି କହି ବାହାନା କରୁଥିବା ବେଳେ ନିଜ ଝିଅକୁ ବାଙ୍ଗୁରୁ ଖୋଜାଖୋଜି ବି କରୁଥିଲା । କିନ୍ତୁ ୨୪ ତାରିଖରେ ପରିବାର ପକ୍ଷରୁ ପଟାଙ୍ଗୀ ଥାନାରେ ଏତଲା ଦିଆଯିବା ପରେ ପୋଲିସର ସନ୍ଦେହୀ ସ୍କାନରରେ ସୈତାନ ବାପାର ନୃଶଂସ ଚେହେରା ଆସିଥିଲା ଆଉ ତାକୁ ଘଟଣାସ୍ଥଳକୁ ନେବା ପରେ ମାଟି ତଳୁ ଉଦ୍ଧାର ହୋଇଥିଲା କୁନି ଝିଅର ଗଳିତ ଶବ । ଏକ ପ୍ଲାଷ୍ଟିକ ଅଖାରେ ବାନ୍ଧି ଝିଅକୁ ବଳୀ ଦେଇଥିବା ଲୋକେ ଅଭିଯୋଗ କରୁଥିଲେ ହେଁ ପୋଲିସ କବଜାରେ ଥିବା ବାପା ଝିଅକୁ ପାଠ ପାଇଁ ପିଟୁଥିବା ବେଳେ ମୃତ୍ୟୁ ହୋଇଥିବା କହିଛି ।

ଯେଉଁ ବାପାର ହାତ ଧରି ଦିନେ କୁନି ଝିଅ ବଡ ହୋଇଥିଲା ଆଜି ସେହି ହାତ ଯେ ସାମାନ୍ୟ ହନୁମାନ ପଇସା ପାଇଁ ହତ୍ୟା କରିବାକୁ ଉଠିଯିବ ତାହା କେବେ ଭାବିନଥିବ ମୃତ କଅଁଳ କଢି । ଆଉ କୋରାପୁଟର ଏ ନିଷ୍ଠୁର କାହାଣୀ ବାପା-ଝିଅ ମଝିରେ ଥିବା ବିଶ୍ୱାସକୁ ବଳୀ ଦେଇଦେଇଛି ।

https://www.facebook.com/KanakNews/videos/388013499316536/