ହେଲମେଟ୍ ପିନ୍ଧିନଥିଲା ବୋଲି ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ । ଏକାଦଶାହରେ ଆଖିରେ ଲୁହ ନେଇ ଲୋକଙ୍କୁ ହେଲମେଟ୍ ବାଣ୍ଟିଲେ ବାପା । ପୁଅକୁ ହରାଇ ଦୋହଲିଯାଇଛି ପରିବାରର ମେରୁଦଣ୍ଡ ।

882

କନକ ବ୍ୟୁରୋ : ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ କଡାକଡି ଚେକିଂ କରାଯାଉଛି । ବିଶେଷ କରି ହେଲମେଟକୁ ନେଇ ଚାଲିଛି ଜୋରଦାର ଧରପଗଡ । କିନ୍ତୁ ଏତେ ସଚେତନତା ପରେ ମଧ୍ୟ ଅନେକ ବେପରୁଆ ଗାଡି ଚାଳକ ବିନା ହେଲମେଟରେ ଯାତ୍ରା କରୁଥିବାର ଦେଖିବାକୁ ମିଳୁଛି । ତେବେ ଗାଡି ଚାଳନା ସମୟରେ ହେଲମେଟ୍ କେତେ ଜରୁରୀ । ଆଜି ଆମେ ଆପଣଙ୍କୁ ହେଲମେଲକୁ ନେଇ ଏମିତି ଏକ ଘଟଣା କହିବୁ, ଯାହା ଶୁଣିଲେ ହୁଏତ ଆପଣ ବିନା ହେଲମେଟରେ ଗାଡିକୁ ଛୁଇଁବେ ନାହିଁ ।

ଏହା ଏମିତି ଏକ କାହାଣୀ, ଯାହା ଯେତିକି ହୃଦୟ ବିଦାରକ, ସମାଜ ପାଇଁ ମଧ୍ୟ ସେତେ ବଡ ଉଦାହରଣ । ପୁଅ ଚାଲିଗଲା ଗାଡି ଦୁର୍ଘଟଣାରେ, ଆଉ ବାପା ବାଂଟିଲେ ହେଲମେଟ୍ । ହୁଏତ ଶୁଣିବାକୁ ଟିକିଏ ଅଲଗା ଲାଗୁଥାଇପାରେ, କିନ୍ତୁ ଏମିତି ହିଁ କିଛି ଘଟଣା ଦେଖିବାକୁ ମିଳିଥିଲା ମଧ୍ୟପ୍ରଦେଶର ଦାମୋ ଅଂଚଳରେ ।

ଗତ ନଭେମ୍ବର ମାସ ୨୦ ତାରିଖରେ ଦାମୋ ନିବାସୀ ମହେନ୍ଦ୍ର ଦିକ୍ଷିତଙ୍କ ୨୫ ବର୍ଷୀୟ ପୁଅ ଲକି ଦିକ୍ଷିତ ଘରୁ ବାଇକ ନେଇ ବାହାରକୁ ଯାଇଥିଲେ । କିନ୍ତୁ ସାଙ୍ଗରେ ନେଇନଥିଲେ ହେଲମେଟ୍ । ଆଉ ରାସ୍ତାରେ ଘଟିଥିଲା ଛାତିଥରା ସଡକ ଦୁର୍ଘଟଣା । ଯେଉଁଥିରେ ଚାଲିଯାଇଥିଲା ଲକିଙ୍କ ଜୀବନ ।

ଆଉ ଯେଉଁ କାରଣ ପାଇଁ ନିଜ ପୁଅର ଜୀବନ ଗଲା, ସେହି କାରଣରୁ ଯେମିତି ଆଉ କେହି ଜୀବନ ନହାରନ୍ତି, ସେନେଇ ସମାଜକୁ ସଚେତନତାର ଏକ ବଡ ବାର୍ତା ଦେଇଛନ୍ତି ଲକିଙ୍କ ବାପା ମହେନ୍ଦ୍ର ଦିକ୍ଷିତ । ପୁଅର ଏକାଦଶାହ ଦିନ ଘରକୁ ଯେଉଁ ଅତିଥି ଆସିଥିଲେ, ସେମାନଙ୍କୁ ଉପହାର ସ୍ୱରୂପ ଗୋଟିଏ ଗୋଟିଏ ହେଲମେଟ୍ ବାଂଟିଛନ୍ତି ମହେନ୍ଦ୍ର ।

ମହେନ୍ଦ୍ର କହିଛନ୍ତି, ଟ୍ରାଫିକ ନିୟମ ଜନସାଧରଣଙ୍କ ପାଇଁ । ସମସ୍ତେ ଟ୍ରାଫିକ ନିୟମକୁ ମାନି ଚଳିବା ଉଚିତ । ଯେଉଁ କାରଣ ପାଇଁ ତାଙ୍କ ପୁଅର ଜୀବନ ଗଲା, ସେଥିପାଇଁ ଆଉ କାହାର ଜୀବନ ନଯାଉ । ରାସ୍ତାରେ ଗଲାବେଳେ କେମିତି ସମସ୍ତେ ହେଲମେଟ୍ ପିନ୍ଧିବେ ସେନେଇ ସେ ଲୋକଙ୍କୁ ସଚେତନ କରାଉଥିବା କହିଛନ୍ତି ମହେନ୍ଦ୍ର ।

ତେବେ ଆମେ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛୁ, ରାସ୍ତାରେ ଗଲାବେଳେ ସବୁବେଳେ ଟ୍ରାଫିକ୍ ନିୟମକୁ ମାନି ଚଳନ୍ତୁ । ବାଇକରେ ହେଲମେଟ୍ ଓ କାରରେ ସିଟ୍ ବେଲ୍ଟ ପିନ୍ଧିବାକୁ ଜମା ବି ଭୁଲନ୍ତୁ ନାହିଁ । ନିଜେ ସଚେତନ ହେବା ସହ ଅନ୍ୟଙ୍କୁ ମଧ୍ୟ ସଚେତନ କରାନ୍ତୁ ।