ମମତା- ମୃତ୍ୟୁର ମୁକସାକ୍ଷୀ: ଯେଉଁଠି ହୋଇଥିଲା ସ୍ତ୍ରୀର ଶେଷ ଫଟୋସୁଟ୍, ସେଠି ଝିଅର ଫଟୋ ଉଠାଇଲେ ସ୍ୱାମୀ

523

କନକ ବ୍ୟୁରୋ: ସେଦିନ ଯେଉଁଠି ସ୍ତ୍ରୀ ସହ ଫଟୋ ଉଠାଇଥିଲେ ସ୍ୱାମୀ । ଆଜି ସେଇଠି ଝିଅ ସହ ଫଟୋ ଉଠାଇଛନ୍ତି ବାପା । କୁନି ଝିଅକୁ ବର୍ଷେ ପୂରିବା ପରେ ବାପା ପାଳିଛନ୍ତି ଗେହ୍ଲି ଝିଅର ପ୍ରଥମ ଜନ୍ମଦିନ । ନୂଆ ଜାମା ପିନ୍ଧାଇ ଲାଲପରୀକୁ ସେହି ଜାଗାକୁ ବୁଲାଇ ଆଣିଛନ୍ତି ବାପା । ଯେଉଁଠି ଝିଅ ଜନ୍ମ ପୂର୍ବରୁ, ମାତୃତ୍ୱ ପୂର୍ବର ଫଟୋସୁଟ୍ କରିଥିଲା ମାଆ । ଆଉ ଆଜି ସେହି ସ୍ଥାନରେ ବାପା ଅଛନ୍ତି, ଝିଅ ଅଛି ଆଉ ମାଆ ବି ଅଛନ୍ତି । ହେଲେ ମାଆ ଶରୀରରେ ନୁହେଁ ବରଂ ସ୍ମୃତି ରହିଛନ୍ତି, ଫଟୋରେ ସାମିଲ ହୋଇଛନ୍ତି ।

କାରଣ ବର୍ଷେ ତଳେ ଏ ଫଟୋ ହିଁ ଥିଲା ମାଆର ଶେଷ ଫଟୋସୁଟ୍ । ଛୁଆକୁ ଜନ୍ମଦେଇ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା ମାଆ… ମମତା- ମୃତ୍ୟୁର ମୁକସାକ୍ଷୀ ସାଜିଥିବା ସେହି ସ୍ଥାନରେ ବର୍ଷେ ପରେ ବାପା ଝିଅର ବାର୍ଥ ଡେ ଫଟୋସୁଟ୍ କରି ମୃତା ମାଆକୁ ମନେପକାଇ, ଲୁହର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଉ ଝିଅକୁ କହୁଛନ୍ତି, ଧନରେ ଆଜି ଯଦି ଏଠି ତୋ ମାଆ ଥାଆନ୍ତା ଭାରି ଖୁସି ହୋଇଥାନ୍ତା । ତୁ ମୋ କୋଳରେ ନୁହେଁ ମାଆ କୋଳରେ ଥାଆନ୍ତୁ… ହେଲେ ତୋ ମାଆ ଆଜି ତାରାପାଲଟି ଯାଇଛି… ଝିଅର ଜନ୍ମଦିନରେ ସ୍ୱର୍ଗରେ ଥିବା ସ୍ତ୍ରୀକୁ ଅମୂଲ୍ୟ ଉପହାର ଦେଇଥିବା ଏ କାହାଣୀ ସୋସିଆଲ ମିଡିଆରେ ଲୋକଙ୍କ ଆଖି ଓଦା କରିଛି ।

କାଲିଫର୍ଣ୍ଣିଆର ଯୁବକ ଜେମସ ବର୍ଷେ ତଳେ ନିଜ ସ୍ତ୍ରୀଙ୍କ ମେଟରନିଟି ଫଟୋସୁଟ୍ କରିଥିଲେ । ସ୍ତ୍ରୀ ଯେତେବେଳେ ୯ ମାସର ଗର୍ଭବତୀ ଥିଲେ ସେତେବେଳେ ଏହି ଜାଗାକୁ ଦୁହେଁ ଆସି, ଆସୁଥିବା ଅତିଥି ସହ ଫଟୋ ଉଠାଇଥିଲେ । ମାତୃତ୍ୱ ପୂର୍ବର ସେହି ସ୍ମୃତିକୁ କଏଦ କରିବାକୁ ଜେମସ ଆଉ ତାଙ୍କ ପତ୍ନୀ ପ୍ରତିଟି ମୂହୂର୍ତ୍ତକୁ କ୍ୟାମେରାରେ କଏଦ କରିଥିଲେ । ହେଲେ ଭାଗ୍ୟର ବିଡମ୍ବନା, ଏକ ଦୁର୍ଘଟଣାରେ ସବୁଦିନ ପାଇଁ ଆଖିବୁଜି ଦେଲେ ସ୍ତ୍ରୀ । ସ୍ୱାମୀଙ୍କ ସହ ଚାଲିଚାଲି ଭ୍ରମଣ କରୁଥିବା ବେଳେ ଏକ କାର୍ ମାଡିଯିବାରୁ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

ଦୃର୍ଘଟଣା ପରେ ଛୁଆକୁ ସୁରକ୍ଷିତ ଭାବେ ଜନ୍ମକରା ଯାଇଥିଲେ ବି ମାଆଙ୍କୁ କିନ୍ତୁ ବଞ୍ଚାଇ ପାରିନଥିଲେ ଡାକ୍ତର । ଏପଟେ ସ୍ତ୍ରୀକୁ ହରାଇ ଭାଙ୍ଗି ପଡିଥିବା ଜେମସ, ଝିଅ ସହ ହସିଖେଳି, ସମୟ ବିତାଇ ମନକୁ ବୁଝାଇ ଦେଉଥିଲେ । ହେଲେ ଝିଅକୁ ଯେବେ ବର୍ଷେ ପୂରିଲା, ସେବେ ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବାପା । ଝିଅ ଜନ୍ମହେବା ପୂର୍ବରୁ ଯେଉଁ ଜାଗାରେ ଫଟୋ ଉଠାଇଥିଲେ ସ୍ତ୍ରୀ ୟେସେନିଆ, ତାଙ୍କ ମୃତ୍ୟୁର ବର୍ଷେ ପରେ ସେଇଠି ଝିଅ ଆଦାଲୀନଙ୍କ ଫଟୋ ଉଠାଇଛନ୍ତି ଜେମସ । ମାଆ ଯେଉଁ ରଙ୍ଗର ଡ୍ରେସ ପିନ୍ଧିଥିଲେ, ଝିଅକୁ ସେହି ଗୋଲାପୀ ରଙ୍ଗର ଡ୍ରେସ ପିନ୍ଧାଇଛନ୍ତି । ସେଦିନ ସ୍ତ୍ରୀ ସହ ଯେଉଁ ପୋଷାକ ନିଜେ ପିନ୍ଧିଥିଲେ ଆଜି ବି ଝିଅ ସହ ସେହି ପୋଷାକ ପିନ୍ଧିଛନ୍ତି ଜେମସ । ଆଉ ସ୍ତ୍ରୀ ଯେଉଁ ସ୍ଥାନ, ଯେଉଁ ଠାଣିରେ ଫଟୋ ଉଠାଇଥିଲେ ଝିଅକୁ ନେଇ ସେଠି ଫଟୋ ଉଠାଇବା ସହ ସ୍ତ୍ରୀଙ୍କ ସ୍ମୃତି ମନେପକାଇଛନ୍ତି । ଏଥିସହ ମାଆକୁ ହରାଇଥିବା ଝିଅର ଭଲ ବାପା ହେବାକୁ ସେ ସବୁପ୍ରକାର ଚେଷ୍ଟା କରୁଛନ୍ତି । ନିଜ ସହ ଘଟିଥିବା ଏସବୁ ଘଟଣାକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଜେମସଙ୍କ କାହାଣୀ ସମସ୍ତଙ୍କୁ ଭିଜେଇ ଦେଇଛି ।