୭ ବର୍ଷର କୁନି ପୁଅ ହୋଇଛି ବାପା ପାଦର ବଳ । ଭଙ୍ଗା ସାଇକେଲରେ ଦିବ୍ୟାଙ୍ଗ ବାପାଙ୍କୁ ବସାଇ ଠେଲି ଠେଲି ନେଉଛି ପୁଅ ।

236

କନକ ବ୍ୟୁରୋ : ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ହେଲେ ସରକାରୀ ଯୋଜନାର ସୁଫଳ ନପାଇ ଯନ୍ତ୍ରଣା ଭୋଗୁଛନ୍ତି ଦିବ୍ୟାଙ୍ଗ । ଯାହାର ଦୃଶ୍ୟ ରାଜରାସ୍ତାରେ ଦେଖିବାକୁ ମିଳିଛି । ସାତ ବର୍ଷର କୁନି ପୁଅ ଦିବ୍ୟାଙ୍ଗ ବାପାଙ୍କୁ ଭଙ୍ଗା ସାଇକେଲରେ ବସାଇ ଠେଲି ଠେଲି ନେଉଛି । ସାଇକେଲର ଚକ ଭଳି ବାପା-ପୁଅଙ୍କ ଜୀବନ ଚକ୍ର ବୁଲୁଛି । ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ କୁନି ପୁଅ ଆଗରେ ନଇଁ ଯିବ । ବାପାଙ୍କ ପ୍ରତି ତା ମନରେ ଥିବା ଶ୍ରଦ୍ଧା ଓ ଭଲ ପାଇବାକୁ ଅନୁଭବ କରିପାରିବେ । ବାପାଙ୍କ ହାତ ଧରି ଚାଲିବା ବୟସରେ ବାପାଙ୍କ ପାଦର ବଳ ହୋଇଛି କୁନି ପୁଅ ।

ଇଏ ପୁରାଣ ବର୍ଣ୍ଣିତ ଶ୍ରବଣ କୁମାର ନୁହେଁ.. ଭାରାରେ ବସାଇ ବାପାଙ୍କୁ କାନ୍ଧରେ ବୋହି ନେବାର ଶକ୍ତି ହୁଏତ ଏଇ କୁନି ପୁଅ ପାଖରେ ନାହିଁ । କିନ୍ତୁ ତା’ ମନରେ ଅଛି ହାରି ନଯିବାର ଝୁଙ୍କ । କୁନି ପାଦରେ ସାହସର ବଳ । ଦଦରା ଟ୍ରାଇ ସାଇକେଲ । ଚେନ୍ ନାହିଁ । ସାଇକେଲରେ ବାପାଙ୍କୁ ବସାଇ ଠେଲି ଠେଲି ଆଗକୁ ନେଇ ଯାଉଛି ଆୟୁଷ । ପୁରୀ କୃଷ୍ଣପ୍ରସାଦ ବ୍ଲକ ମାଲୁଦ ଗାଁର ବିବ୍ୟାଙ୍ଗ ପାଣ୍ଡବ ଜେନା ଓ ତାଙ୍କ ୭ ବର୍ଷର କୁନି ପୁଅ ଆୟୁଷର ଏହି ଯାତ୍ରାକୁ ଦେଖିଲେ କୁନି ପୁଅର ଚେଷ୍ଟା ଆଗରେ ମୁଣ୍ଡ ନଇଁ ଯାଉଛି, ଆଉ ସରକାରଙ୍କ ତମାମ୍ ଯୋଜନାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

ସରକାରୀ ସ୍ତରରେ ହୋଇଥିବା ଅନେକ ଯୋଜନାରେ କଣ ପାଣ୍ଡବଙ୍କୁ ଗୋଟିଏ ଟ୍ରାଇ ସାଇକେଲ ଯୋଗାଇ ଦିଆଯାଇ ପାରନ୍ତାନାହିଁ । ନା ତାଙ୍କ ବାବଦରେ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ ପାଖରେ ଖବର ନାହିଁ । ସରକାରୀ ଖାତାରେ ସେ ଦିବ୍ୟାଙ୍ଗ ବୋଲି ତଥ୍ୟ ରହିଛି । ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ଦିବ୍ୟାଙ୍ଗ ଭତା ମିଳୁଛି । କିନ୍ତୁ ସାଇକେଲ ଟିଏ ମିଳିପାରିନାହିଁ । ତେଣୁ ଭତା ଟଙ୍କାରୁ ୫ଶହ ଟଙ୍କା ଦେଇ ଏଇ ଭଙ୍ଗା ସାଇକେଲଟି ଅନ୍ୟ ଜଣେ ଦିବ୍ୟାଙ୍ଗ ଠାରୁ କିଣିଛନ୍ତି ପାଣ୍ଡବ ।