କନକ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ଗୁଣୁପୁର ସହରକୁ ଫେରିଛି କରୋନାଜନିତ ମୃତ୍ୟୁର ଭୟ । କରୋନାରେ ସଂକ୍ରମିତ ହୋଇ ୪ ଦିନର ବ୍ୟବଧାନରେ ବାପ-ପୁଅଙ୍କ ମୃତ୍ୟୁ ଖବର ସାରା ସହରରେ ଭୟର ବାତାବରଣ ସୃଷ୍ଟି କରିଛି ।
କରୋନା କବଳିତ ହୋଇ ଆରପାରିକୁ ଚାଲିଗଲେ ବାପା-ପୁଅ । ମହାମାରୀ ସହ ଲଢେଇ କରି ପ୍ରଥମେ ଜୀବନ ଯୁଦ୍ଧରେ ହାରିଗଲେ ବାପା ବିନୋଦ ଦାସ । ଆଉ ତାଙ୍କ ମୃତ୍ୟୁର ୪ ଦିନରେ କରୋନା କୋକେଇ ସବୁଦିନ ପାଇଁ ଶୋଇଗଲେ ପୁଅ ମାନସ ଦାସ । ଗୁଣୁପୁର ପୌରପରିଷଦ ଅନ୍ତର୍ଗତ ମୋତିଲାଲ ନଗରର ବିନୋଦ ଓ ତାଙ୍କ ପୁଅ ମାନସଙ୍କ ମୃତ୍ୟୁ ଘଟଣା ସାରା ସହରରେ କୋକୁଆ ଭୟ ସୃଷ୍ଟି କରିଛି ।
ଗତ ୨୪ ତାରିଖ ଦିନ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ବିନୋଦ ଦାସଙ୍କ ମୃତ୍ୟୁ ଜେ.କେ ପୁର ସ୍ଥିତ କୋଭିଡ଼ ହସ୍ପିଟାଲରେ ହୋଇଥିଲା, ଏହାର ୪ ଦିନରେ ଅର୍ଥାତ୍ ୨୮ ତାରିଖରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ମାନସ ଆଖି ବୁଜିଛନ୍ତି । ମାନସ କରୋନା ସଂକ୍ରମିତ ହୋଇ ଗୃହ ସଂଗରୋଧରେ ରହୁଥିଲେ । ହଠାତ ତାଙ୍କ ଶରୀରରେ ଅକ୍ସିଜେନ୍ ସ୍ତର କମି ଯିବାରୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଗୁଣୁପୁର ସହରରେ ଏଭଳି ଘଟଣା ଘଟିଛି । ଗତ ମାସରେ ପୁରୁଣା ପୋଷ୍ଟ ଅଫିସ ସାହିର ବାପୁ ସାହୁ ଓ ତାଙ୍କ ବାପା ଚନ୍ଦ୍ର ଶେଖର ସାହୁଙ୍କ ମୃତ୍ୟୁ ଦୁଇ ଦିନ ବ୍ୟବଧାନରେ ହୋଇଥିଲା । ସେମାନଙ୍କ ଜୀବନ ବି ନେଇଛି ଏଇ କରୋନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/30-5.jpg)