ବାପା ! ଚାଲ ପୋଖରୀରେ ଗାଧୋଇବା । ପାଣିରେ ବୁଡି ଆଖି ବୁଜିଲେ ବାପପୁଅ..

2,112

କନକ ବ୍ୟୁରୋ: ବାପା ! ଆଜି ଚାଲ ପୋଖରୀରେ ଗାଧୋଇବା… ତମ ସହ ମୁଁ ପୋଖରୀରେ ଗାଧୋଇବି, ତମେ ମତେ ପାଣିରେ ପହଁରା ଶିଖାଇଦେବ । ୪ ବର୍ଷର ଗେହ୍ଲା ପୁଅର କଥାକୁ କାଟି ନପାରି ପୁଅକୁ ନେଇ ପୋଖରୀ ଚାଲିଲେ ବାପା । ଆଉ ତାପରେ ବାପାପୁଅ ଗାଧୋଇବାରେ ନିମଗ୍ନ ହୋଇଗଲେ । ହେଲେ କିଏ ଜାଣିଥିଲେ ବାପାପୁଅଙ୍କ ଏ ଗାଧୁଆ, ଏ ଖୁସି ଜୀବନର ଶେଷ ଖୁସି ହେବ ବୋଲି । ପୋଖରୀରେ କାଦୁଅରେ ଗୋଡ ପଶି ଯାଇ ବାପପୁଅଙ୍କ ପ୍ରାଣ ଚାଲିଯିବ ବୋଲି । ଆଉ ଦୁହେଁ ନେଇଯିବେ ଜଳସମାଧି । ବାପପୁଅଙ୍କ ମୃତ୍ୟୁକୁ ନେଇ ଅନୁଗୁଳରୁ ଆସିଥିବା ଏ ଖବର ଛାତିକୁ ଥରାଇ ଦେଇଛି, ଆଖିକୁ ଓଦା କରି ଦେଇଛି ।

ଅନୁଗୁଳ ବଅଁରପାଳ ଥାନା କଇଁଛବାହାଲ ଗାଁର କ୍ଷୀରୋଦ ଜେନା ଦିନରେ ନିଜ ୪ ବର୍ଷର ପୁଅ ରାକେଶକୁ ସାଥିରେ ନେଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହୁଏତ ସମୟ ଚକ୍ରରେ ସରିଯାଇଥିଲା ସେମାନଙ୍କ ଆୟୁଷ । ଭାଗ୍ୟର ବିଡମ୍ବନା ସେମାନଙ୍କୁ ଏ ପୋଖରୀକୁ ଟାଣି ଆଣିଥିଲା । କାରଣ ବାପାପୁଅ ଦୁହେଁ କେବେ ପୋଖରୀକୁ ଗାଧୋଇବାକୁ ଯାଆନ୍ତି ନାହିଁ । ମାତ୍ର ଆଜି ହିଁ ପୁଅକୁ ନେଇ ଯାଇଥିଲେ କ୍ଷୀରୋଦ । ହେଲେ ପାଣିର ଚକ୍ରବ୍ୟୁହରେ ଫଶି ଚାଲିଯାଇଥିଲା ସେମାନଙ୍କ ପ୍ରାଣ ।

ଘଟଣା ପରେ ପାଖରେ ଥିବା ଲୋକମାନେ ବାପ-ପୁଅଙ୍କୁ ତୁରନ୍ତ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ବି ଡାକ୍ତର କିନ୍ତୁ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। କ୍ଷୀରୋଦ ଜଣେ ଦିନ ମଜୁରିଆ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ପେଟ ପୋଷନ୍ତି । ଅସମୟରେ ବାପ-ପୁଅ ଆରପାରିକୁ ଚାଲିଯିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

ସେପଟେ ବାପା ଏବଂ ସାନପୁଅ ପାଣିରେ ବୁଡି ପ୍ରାଣତ୍ୟାଗ କରିବା ପରେ ଭାଙ୍ଗି ପଡିଛନ୍ତି ବିଧବା ସ୍ତ୍ରୀ ଏବଂ ତାଙ୍କ ୮ ବର୍ଷର ବଡ ପୁଅ । ବାପା କ୍ଷୀରୋଦଙ୍କ ସହ ସବୁବେଳେ ବୁଲାବୁଲି କରେ ପୁଅ ରାକେଶ । ବାପା ଯୁଆଡେ ଯାଆନ୍ତି ପୁଅ ବି ତାଙ୍କ ସହ ସିଆଡେ ବୁଲେ । କହିବାକୁ ଗଲେ ବାପାଙ୍କ ଛାଇ ପାଲଟି ଯାଇଥିଲା ସାନ ପୁଅ ରାକେଶ । ଆଉ ଶେଷରେ ବାପାଙ୍କ ସହ ହିଁ ସେହି ସାନପୁଅ ସେପାରିକୁ ଚାଲିଯାଇଛି ।