୮ ବର୍ଷର କୁନି ଝିଅ ଏବଂ ଦେଢ ମାସର ପୁଅକୁ ଅନାଥ କରିଦେଲା କରୋନା । ଦୁନିଆକୁ ଚିହ୍ନିବା ଆଗରୁ ବାପା-ମା ଛେଉଣ୍ଡ ହୋଇଗଲେ ଦୁଇ ଶିଶୁ ।

587

କନକ ବ୍ୟୁରୋ: କରୋନାର କରୁଣ କାହାଣୀ । ମାତ୍ର ୮ ବର୍ଷର କୁନି ଝିଅ କ୍ରିଷ୍ଣା ଦୁନିଆଁକୁ ଚିହ୍ନିବା ଆଗରୁ ହୋଇଯାଇଛି ବାପା-ମା ଛେଉଣ୍ଡ । କରୋନାରେ ବାପା ମା ଆଖି ବୁଜିଛନ୍ତି କିନ୍ତୁ ତା ସାଥିରେ ଛାଡି ଯାଇଛନ୍ତି ମାତ୍ର ଦେଢ଼ ମାସର ଭାଇକୁ । ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଆସିଛି ଏହି ହୃଦୟ ବିଦାରକ ଖବର । ନିଷ୍ଠୁର ବିଧାତା କରୋନାରେ ଆଗପଛ କରି ଛଡେଇ ନେଇଛି ମା-ବାପାକୁ । କୁନି ଝିଅ କ୍ରିଷ୍ଣା ଓ ଦେଢ ମାସର ଭାଇ ଏବେ କେମିତି ରହିବେ, କଣ ହେବ ସେମାନଙ୍କ ଭବିଷ୍ୟତ ତାହା ଏବେ ବିରାଟ ପ୍ରଶ୍ନ ହୋଇ ରହିଛି । କଟକ କ୍ୟାନ୍ସର ହସ୍ପିଟାଲରେ ଷ୍ଟାଫ୍ ନର୍ସ ଭାବେ କାମ କରିବା ସମୟରେ କରୋନାରେ ମା ସ୍ମିତା ପଣ୍ଡାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିଲେ ସ୍ୱାମୀ କମଲେଶ୍ । ସ୍ମିତାଙ୍କ ମୃତ୍ୟୁର ଠିକ୍ ୧୫ ଦିନ ପରେ ବାପା କମଲେଶ୍ ପଜିଟିଭ୍ ଥିବା ଜଣାପଡିଲା । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା, ଶେଷରେ ସେ ବି କରୋନାରେ ପ୍ରାଣ ହରାଇଥିଲେ । ସ୍ମିତା-କମଲେଶ୍ ମୃତ୍ୟୁକୁ ଠିକ୍ ଭାବେ ବୁଝି ନଥିବା ଦୁଇ ଶିଶୁ ଏବେ ଦୁନିଆରେ ଏକା ହୋଇଯାଇଛନ୍ତି ।