ଆଜି ଫତେଗଡ ରାମ ମନ୍ଦିରର ହେବ ପ୍ରାଣ ପ୍ରତିଷ୍ଠା । ପୂରା ଅଞ୍ଚଳ ହୋଇଛି ରାମମୟ ।

265

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଥିବା ବେଳେ ନୟାଗଡ ଜିଲ୍ଲା ଫତେଗଡରେ ବି ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ । ଫତେଗଡ ଗାଁ ନିକଟ ପାହାଡ ଉପରେ ନିର୍ମାଣ ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଗତ ୧୭ ତାରିଖରୁ ମନ୍ଦିରର ପ୍ରତିଷ୍ଠା ସାଙ୍ଗକୁ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି । ଅଯୋଧ୍ୟା ରାମମନ୍ଦିର ସହ ଆଜି ଫତେଗଡ ରାମ ମନ୍ଦିରର ମଧ୍ୟ ପ୍ରାଣ ପ୍ରତିଷ୍ଠା କରାଯିବ । ଯାହାକୁ ନେଇ ସାରା ଅଂଚଳରେ ଉତ୍ସାହ ଦେଖିବାକୁ ମିଳିଛି ।

ସମୁଦ୍ର ପତନ ଠାରୁ ୧୬୦୦ ଫୁଟ ଉଚ୍ଚ ପାହାଡ ଉପରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ବଉଳମାଳା ପଥରରେ ନିର୍ମିତ, ପୁଷ୍ପ ସଜ୍ଜିତ ଏହି ମନ୍ଦିରର ରୂପ ଅନନ୍ୟ ଆଉ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ଏହି ମନ୍ଦିରର ଓ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ପାଇଁ ବେଢ଼ାରେ ଚାଲିଛି ଯଜ୍ଞ । ପଣ୍ଡିତଙ୍କ ମନ୍ତ୍ର ଉଚାରଣ ସହ ଦିଆଯାଉଛି ଆହୁତି । ଆଉ ତା ଭିତରେ ଶୁଭୁଛି ସାଧୁ ସନ୍ଥଙ୍କ ମନ୍ତ୍ର ଓ ନାମ ସଂକୀର୍ତନ । ଯାହାଫଳରେ ପୁରା ପରିବେଶ ରାମମୟ ହୋଇଛି ।

ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୨ଶହ କାରିଗର, ୪ବର୍ଷ ହେଲା ନିୟୋଜିତ ହୋଇଥିଲେ । ଆଉ ୩ଟି ପର୍ଯ୍ୟାୟରେ ଏହାର ନିର୍ମାଣ କରାଯାଇଛି । ରେଖ, ଭଦ୍ର ଓ ମୋହନ ନାମରେ ୩ଟି ମୁଖ୍ୟ ମନ୍ଦିର ରହିଥିବାବେଳେ ଚତୁଃପାଶ୍ୱର୍ରେ ଶିବ, ଗଣେଶ, ସୂର୍ଯ୍ୟନାରାୟଣ ଓ ହନୁମାନଙ୍କ ପାଇଁ ୪ଟି ମନ୍ଦିର ନିର୍ମାଣ କରାଯାଇଛି । ସିଂହ, ଘୋଡା, ହାତୀ ଓ ବ୍ୟାଘ୍ରଙ୍କ ନାମରେ ୪ଟି ପ୍ରବେଶ ପଥ ରହିବା ସହ ୨୨ ପାହାଚର ଅନୁକରଣ ମଧ୍ୟ କରାଯାଇଛି । ନୟାଗଡ ଜିଲ୍ଲାର ଏକ ଗାଁ ଭିତରେ ଏପରି ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି ।