ଆତଙ୍କୀଦେଶକୁ ନିସ୍ତାର ନାହିଁ…ଏଫଏଟିଏଫର ଗ୍ରେ ଲିଷ୍ଟରେ ପୁଣି ରହିଲା ପାକିସ୍ତାନ: କାମ ଦେଲାନି ଚୀନ୍ ଓ ତୁର୍କୀର ଚାଲ୍; ଆସନ୍ତା ବର୍ଷ ଫେବ୍ରୁଆରୀ ଯାଏଁ ରହିବ ଆର୍ଥିକ କଟକଣା

145

କନକ ବ୍ୟୁରୋ: ନା କାମ ଦେଲା ତୁର୍କୀ ନା କାମ କଲା ଚୀନର ଚାଲ । ପାକିସ୍ତାନକୁ ଏଫଏଟିଏଫର ଗ୍ରେ-ଲିଷ୍ଟରୁ ବାହାର କରିବା ପାଇଁ ସବୁ ଉଦ୍ୟମ ଫେଲ ମାରିଛି । ଅର୍ଥାତ ଆତଙ୍କବାଦୀଙ୍କୁ ପୋଷୁଥିବା ପାକିସ୍ତାନକୁ ନିସ୍ତାର ନାହିଁ । ଆତଙ୍କବାଦୀ ସଂଗଠନଗୁଡିକୁ ପାଣ୍ଠି ଯୋଗାଣ ପ୍ରସଙ୍ଗରେ ପୁଣି ତାକୁ ଗ୍ରେ-ଲିଷ୍ଟରେ ରଖିବାକୁ ନିଷ୍ପତି କରିଛି ଏଫଏଟିଏଫ । ଟେରର ଫଣ୍ଡିଂ ଉପରେ ସତର୍କ ଦୃଷ୍ଟି ରଖୁଥିବା ଏହି ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ଜାରି ୨୭ ସୂତ୍ରି କାର୍ଯ୍ୟସୂଚୀରେ ଫେଲ ମାରିଛି ପାକିସ୍ତାନ । ତେଣୁ ତାକୁ ଆସନ୍ତାବର୍ଷ ଫେବ୍ରୁଆରୀ ଯାଏଁ ଗ୍ରେ-ତାଲିକାରେ ରହିବାକୁ ପଡିବ ।

ଜାତିସଂଘ ଦ୍ୱାରା ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ ମାସୁଦ ଆଝାର ଭଳି ଆତଙ୍କବାଦୀଙ୍କ ବିରୋଧରେ ଆଖିଦୃଷିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଏବଳି ନିଷ୍ପତି କରିଛି ଫାଇନାନସିଆଲ ଆକ୍ସନ ଟାସ୍କଫୋର୍ସ- ଏଫଏଟିଏଫ । ଯଦିଓ ପାକିସ୍ତାନରେ ଇମ୍ରାନ ସରକାର, ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖାଇ ଦେଉଛନ୍ତି । ହେଲେ ଏବେ ବି ଏଫଏଟିଏଫ ପକ୍ଷରୁ ଜାରି କରାଯାଇଥିବା ୬ଟି ସର୍ତକୁ ପାଳନ କରିନାହାନ୍ତି । ତେଣୁ ଆଗକୁ ଏହା କଲାତାଲିକାଭୁକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ପାକିସ୍ତାନ ଏଫଏଟିଏଫ ଦ୍ୱାରା କଳା ତାଲିକାଭୁକ୍ତ ହେଲେ ଏହାକୁ ଆଇଏମଏଫ ଓ ବିଶ୍ୱ ବ୍ୟାଙ୍କ ଭଳି ଅନ୍ତର୍ଜାତୀୟ ସଂସ୍ଥାର ଅନୁଦାନ ବନ୍ଦ ହୋଇଯିବ । ସେହିପରି ବିଦେଶୀ ପୁଞ୍ଜି ନିବେଶ ସାଙ୍ଗକୁ ବହୁଦେଶୀୟ କମ୍ପାନି କାରବାର ବନ୍ଦ କରିବାକୁ ନିଷ୍ପତି କରିପାରନ୍ତି । ଫଳରେ ଆହୁରି ଦେବାଳିଆ ହୋଇପଡିବ କାଙ୍ଗାଳ ପାକିସ୍ତାନ ।