ଖାପ୍ ପଞ୍ଚାୟତର ଜୁଲମ୍ : ମା’ଠାରୁ ୨ ପିଲାଙ୍କୁ ୧୫ ବର୍ଷ ଦୂର କରିଦେଲା ପଞ୍ଚାୟତ , ୧୫ ବର୍ଷ ଶ୍ୱଶୁରଘରେ ପାଦ ରଖିପାରିବେନି ବିଧବା ବୋହୂ

686

ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀକୁ ସନ୍ଦେହ କରି ମା’ଠାରୁ ଛୁଆଙ୍କୁ ୧୫ ବର୍ଷ ଦୂର କରିବା ପାଇଁ ଆଦେଶ ଦେଲା ଖାପ୍ ପଞ୍ଚାୟତ । ଆଜିର ଆଧୁନିକ ସମାଜରେ ଆଇନ୍ କାନୁନର ଦବଦବା ଚାଲିଥିବା ବେଳେ ହରିୟାଣାର କିଛି ସ୍ଥାନରେ ଏବେ ବି ଖାପ୍ ପଞ୍ଚାୟତର ହୁକୁମ୍ ଚାଲୁଛି । ଜିଲ୍ଲାର ଭୁନା ଗ୍ରାମରେ ଜଣେ ବିଧବା ମହିଳାଙ୍କ ପ୍ରତି ଖାପ୍ ପଞ୍ଚାୟତର ଜୁଲମ୍ ର ଖବର ଏବେ ସାମ୍ନାକୁ ଆସିଛି ।

ଘଟଣାଟି କିଛି ଏଭଳି ସ୍ୱାମୀ ମୃତ୍ୟୁରେ ସ୍ତ୍ରୀକୁ ସନ୍ଦେହ କରି ଶ୍ୱଶୁରଘର ଲୋକ ବୋହୂକୁ ନିର୍ଯାତନା ଦେଉଥିଲେ । ୨ ପିଲାଙ୍କ ମୁହଁକୁ ଚାହିଁ ପୀଡିତା ଜଣକ ଶ୍ୱଶୁର ଘରେ ହିଁ ରହୁଥିଲେ । ଯେତେବେଳେ ଏହି କଥା ଖାପ୍ ପଞ୍ଚାୟତରେ ପଡିଲା ପଞ୍ଚାୟତ ବିଧବା ମହିଳାଙ୍କୁ ୧୫ ବର୍ଷ ନିଜ ବାପା ଘରେ ରହିବାପାଇଁ ଆଦେଶ ଜଣାଇଦେଲେ ଏବଂ ସ୍ୱାମୀଙ୍କ ସମ୍ପତ୍ତିକୁ ୨ ପିଲାଙ୍କ ନାଁରେ କରିଦେବାକୁ ପରାମର୍ଶ ଦେଲେ । ଏହି ନିଷ୍ପତ୍ତିରେ ପୀଡିତା କ୍ଷୋଭ ପ୍ରକାଶ କରି ପଞ୍ଚାୟତଙ୍କ କଥାକୁ ଅମାନ୍ୟ କରି ଏଭଳି ପ୍ରଶ୍ନ କରିଥିଲେ । “ଜଣେ ସ୍ତ୍ରୀ ବାପ ଘର ଛାଡି ଶାଶୁଘରେ ନିଜ ସ୍ୱାମୀ,ଶ୍ୱଶୁରଘର ଲୋକ ଏବଂ ସନ୍ତାନର ଯତ୍ନ ନିଏ । ତା’ ବଦଳରେ ସେ କ’ଣ ପାଏ ? ନିର୍ଯାତନା,ଅପବାଦ ! ଏମିତିକି ସ୍ୱାମୀର ସମ୍ପତ୍ତିରେ ବି ସ୍ତ୍ରୀର କୌଣସି ହକ୍ ନାହିଁ ।” ପୀଡିତାଙ୍କ ଏଭଳି ପ୍ରଶ୍ନରେ ପଞ୍ଚାୟତ କ୍ରୋଧପ୍ରକାଶ କରି ପିଲାଙ୍କ ଠାରୁ ୧୫ ବର୍ଷ ଦୂରେଇ ରହିବା ପାଇଁ ନିଷ୍ପତ୍ତି ଜଣାଇଦେଲେ । ଏବେ ନ୍ୟାୟ ପାଇଁ ପୀଡିତା ଆଇନ୍ ର ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।