କନକ ବ୍ୟୁରୋ : ମମିତା ମୃତ୍ୟୁ ମାମଲାରେ ପରସ୍ପର ବିରୋଧୀ ଆଭିମୁଖ୍ୟ ଧରି କଳାକୋଟ ପିନ୍ଧିଲେ ବାପା ପୁଅ । ମମିତା ହତ୍ୟା ଘଟଣାରେ ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାରେ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଆଠ ବର୍ଷ ପରେ ଭର୍ଚୁଆଲ ମାଧ୍ୟମରେ କୋର୍ଟରେ ରଖିଥିଲେ ପକ୍ଷ । ଆଉ ଏବେ ପୁଲିସ କରିଥିବା ତଦନ୍ତକୁ ପ୍ରମାଣିତ କରିବା କଣ୍ଟାବାଞ୍ଝି କୋର୍ଟରେ ଯୁକ୍ତି ଉପସ୍ଥାପନ କରିବେ ପୁଅ ଅମରେନ୍ଦ୍ର ମିଶ୍ର । ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକ୍ୟୁଟର ଭାବେ ପୁଲିସ କରିଥିବା ଚାର୍ଜସିଟକୁ ଠିକ ବୋଲି କୋର୍ଟରେ ପ୍ରମାଣ କରିବେ ।

Advertisment

ଜଣେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଯିଏ କଳାହାଣ୍ଡି ମହାଲିଙ୍ଗ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ନ୍ୟାୟ ଦେବାପାଇଁ କଳା କୋର୍ଟ ପିନ୍ଧିଛନ୍ତି । ଅନ୍ୟଜଣେ ତାଙ୍କ ବଡପୁଅ ଅମରେନ୍ଦ୍ର ମିଶ୍ର, ଯିଏ କଣ୍ଟାବାଞ୍ଝି ଏଡିଜେ କୋର୍ଟରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଭାବେ ମମିତା ମେହେର ମାମଲା ଲଢୁଛନ୍ତି । ସଂପର୍କରେ ବାପା-ପୁଅ ହୋଇଥିଲେ ମଧ୍ୟ ଦୁହେଁ ପରସ୍ପର ବିରୋଧୀ ମାମଲା ଲଢିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ବଡକଥା ହେଉଛି ମମିତା ମାମଲାରେ ଗୋବିନ୍ଦ ସାହୁ ହିଁ ମୁଖ୍ୟ ଷଡଯନ୍ତ୍ରକାରୀ ଏବଂ ହତ୍ୟାକାଣ୍ଡରେ ତାଙ୍କ ଛଡା ଆଉ କାହାରି ସଂପୃକ୍ତି ନାହିଁ ବୋଲି ସିନ୍ଧିକେଲା ଥାନା ପୋଲିସ ଯେଉଁ ଥିଓରୀ ବନାଇଛି ତାକୁ ବିରୋଧ କରୁଛନ୍ତି ନରସିଂହ ମିଶ୍ର । ପୁରା ମାମଲା ପଛରେ ଥିବା ଷଡଯନ୍ତ୍ରକାରୀଙ୍କୁ ଖୋଜି ବାହାର କରିବା ପାଇଁ ସେ ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ଦାବି କରୁଛନ୍ତି ।

ଅନ୍ୟପକ୍ଷରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଭାବରେ ପୋଲିସ ତିଆରି କରିଥିବା ଥିଓରୀ ଏବଂ ଦାଖଲ କରିଥିବା ଚାର୍ଜସିଟ ଠିକ ବୋଲି ପ୍ରମାଣ କରିବାକୁ ମାମଲା ପରିଚାଳନା କରୁଛନ୍ତି ତାଙ୍କ ବଡ ପୁଅ ଅମରେନ୍ଦ୍ର ମିଶ୍ର । ଯାହା କୋର୍ଟରେ ବାପାଙ୍କ ଯୁକ୍ତିର ବିରୋଧାଚରଣ କରୁଛି । କଂଗ୍ରେସ ବିଧାୟକ ଦଳ ନେତାଙ୍କ ପୁଅ ସରକାରଙ୍କ ପାଇଁ କୋର୍ଟରେ ଲଢିବା ଏବେ କଂଗ୍ରେସ ନେତାଙ୍କ ପାଇଁ ଅସହଜ ହୋଇପଡିଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଧାୟକ ସଂନ୍ତୋଷ ସିଂ ସାଲୁଜା ଓ ଅଧିରାଜ ପାଣିଗ୍ରାହୀ । କାରଣ ମମିତା ପ୍ରସଙ୍ଗରେ ମୂଳରୁ ସରକାର ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକାକୁ ସନ୍ଦେହ କରିଆସୁଛି କଂଗ୍ରେସ ଦଳ ।
ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ୮ ବର୍ଷ ପରେ କଳାକୋର୍ଟ ପିନ୍ଧି ହାଇକୋର୍ଟରେ ମାମଲା ପରିଚାଳନା କରିଥିଲେ ନରସିଂହ ମିଶ୍ର । ଘଟଣା ଆଧାରରେ ମାମଲା ରୁଜୁ କରାଯାଇନଥିବାରୁ ପ୍ରକୃତ ଅଭିଯୁକ୍ତ ଖସି ଯାଇପାରନ୍ତି ବୋଲି ଯୁକ୍ତି ବାଢିଥିଲେ । ହତ୍ୟା ପାଇଁ ହୋଇଥିବା ଷଡଯନ୍ତ୍ରକୁ ପୋଲିସ ତଦନ୍ତ କରିନଥିବା କହିଥିଲେ । ଯାହାକୁ ଭୁଲ ବୋଲି ପ୍ରମାଣ କରିବା ହେବ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟରଙ୍କ ଦାୟିତ୍ୱ । ତଳକୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିବାରୁ ଏସଂପର୍କିତ ଆପତ୍ତି ଅଭିଯୋଗ ନେଇ ତଳକୋର୍ଟରେ ପିଟିସନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଏବେ କଂଟାବାଞ୍ଝି ଏଡିଜେ କୋର୍ଟରେ ମମିତା ପ୍ରସଙ୍ଗକୁ ନେଇ ଦେଖିବାକୁ ମିଳିବ ବାପ-ପୁଅ ଲଢେଇ ।