ମଝି ଆକାଶଙ୍କରେ ଭୟଙ୍କର ଦୁର୍ଘଟଣା: ପରସ୍ପର ସହ ଦୁଇ ହେଲିକପ୍ଟର ମୁହାଁମୁହିଁ

1,738

କନକ ବ୍ୟୁରୋ: ମଝି ଆକାଶଙ୍କରେ ଭୟଙ୍କର ଦୁର୍ଘଟଣା । ଦୁଇ ହେଲିକପ୍ଟର ମଧ୍ୟରେ ମୁହାଁମୁହି ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାର ଶିକାର ହେଲିକପ୍ଟର ହେଉଛି ମାଲେସିଆ ସେନାର । ମାଲେସିଆ ସେନାର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଇଁ ରିହସର୍ଲ କରୁ କରୁ ଦୁର୍ଘଟଣାର ଶିକାର ହୋଇଛନ୍ତି ଲଢ଼ୁଆ ହେଲିକପ୍ଟର ।

କ୍ୟାମେରାରରେ କଏଦ ହେଲା ମଝି ଆକାଶରେ ଦୁର୍ଘଟଣା ଚିତ୍ର । ଉଚ୍ଚ ଆକାଶରେ ଗୋଟିଏ ହେଲିକପ୍ଟରକୁ ଧକ୍କା ଦେଉଛି ଆଉ ଏକ ହେଲିକପ୍ଟର । ପରସ୍ପର ସହ ପିଟି ହେବା ପରେ ଆକାଶରୁ ଭାଙ୍ଗି ଖସି ପଡୁଛି ମାଲେସିଆ ସେନାର ଏହି ଦୁଇ ଯୁଦ୍ଧ ହେଲିକପ୍ଟର । ସୂଚନା ଅନୁସାରେ ଦୁର୍ଘଟଣାଗସ୍ତ ହେଲିକପ୍ଟରଗୁଡିକ ହେଉଛି ମାଲେସିଆର ନୌସେନା । ଘଟଣାରେ ୧୦ଜଣ କ୍ରିୟୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ସକାଳ ପ୍ରାୟ ୯.୩୦ ମିନିଟରେ ଲୁମୁଟ ନାଭାଲ ବେସରେ ଏକା ସହ କିଛି ହେଲିକପ୍ଟର ଉଡାଣ ଭରିଥିଲେ । ଏହି ସମୟରେ ହେଲିକପ୍ଟର ଏଚଓଏମଏମ ୫୦୩କୁ ଧକ୍କା ଦେଇଥିଲା ପଛରେ ଆସୁଥିବା ଆଉ ଏକ ହେଲିକପ୍ଟର । ପରେଡ ପାଇଁ ରିହସର୍ଲ କରିବା ସମୟରେ ଦୁର୍ଘଟଣା ଘଟଥିବା ସୂଚନା ମିଳିଛି । ଗୋଟିଏ ଷ୍ଟାଡିୟମରେ ଖସିପଡିଥିବାବେଳେ ଅନ୍ୟଟି ସୁଇମିଂ ପୁଲରେ ପଡିଥିଲା । ମେ ୩ରୁ ୫ ପର୍ଯ୍ୟନ୍ତ ମାଲେସିଆର ନୌସେନା ୯୦ତମ ପ୍ରତିଷ୍ଠା ଦିବସ ପାଳନ କରିବ ।

ଏହା ପୂର୍ବରୁ ସେନାର ହେଲିକପ୍ଟର ରିହସର୍ଲ କରୁ କରୁ ଦୁର୍ଘଟଣାର ଶିକାର ହୋଇଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଛି ଏହାର ତଦନ୍ତ ପାଇଁ ଟିମ ଗଠନ କରିଛି ମାଲେସିଆ ସେନା । ଘଟଣାକୁ ନେଇ ଦୁଖ ପ୍ରକାଶ କରିବା ସହ ମୃତକଙ୍କୁ ସମବେଦନା ଜଣାଇଛନ୍ତି ମାଲେସିଆ ସରକାର । ସେନାର ବିମାନ ଓ ହେଲିକପ୍ଟର ବାରମ୍ବାର ଦୁର୍ଘଟଣା ଶିକାର ସରକାର ଓ ସେନାର ଚିନ୍ତାକୁ ବଢ଼ାଇଛି ।