ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ସାଂଘାତିକ ଅଭିଯୋଗ: କ୍ଲିନିକ ଖୋଲି ଲୋକଙ୍କ ଜୀବନ ନେଇଥିବା କହିଲେ ମୃତକଙ୍କ ପରିବାର 

146

କନକ ବ୍ୟୁରୋ: ମାଟ୍ରିକ ପାସ କରିନଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ସାଂଘାତିକ ଅଭିଯୋଗ । ଢେଙ୍କାନାଳ କାମାକ୍ଷାନଗରରେ ଏକ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା ନାଁରେ ଚୂନ ଲଗାଉଥିଲା ଏହି ଧୃତ । ୧୯୯୦ରୁ ୨୦୧୦ ଯାଏଁ ଏଠାରେ ତାର ପ୍ରଭାବ ରହିଥିଲା । ସରକାରୀ ଡାକ୍ତରଖାନାରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ମିଳୁନଥିବାରୁ ଏହାର ଫାଇଦା ଉଠାଉଥିଲା । ମହିଳାଙ୍କ ଓଭାରିରେ ଘା ହୋଇଥିବା କହି ଔଷଧ ଦେଇଥିଲା । ଆଉ ଅଭିଯୋଗ ଅନୁସାରେ ଔଷଧ ଶେଷ ହେଲା ବେଳକୁ ଜୀବନ ଚାଲିଗଲା ।

୧୯୯୦ରେ କେନ୍ଦ୍ରାପଡାରୁ କାମାକ୍ଷାନଗର ଆସି ଭଡାଘରେ ରହି ଏକ ବେଆଇନ କ୍ଲିନିକ ଚଳାଇଥିଲା ଠକ ରମେଶ ସ୍ୱାଇଁ । ଜଣେ ବ୍ୟକ୍ତିଙ୍କ ହାରନିଆ ବାହାରିବା ପରେ କଟକରେ ଅଧିକ ଚିକିତ୍ସା କରାଇବାକୁ ସାଙ୍ଗରେ ନେଇ ଯାଇଥିଲା ରମେଶ । ଅଭିଯୋଗ ଅନୁସାରେ ସୁରକ୍ଷା ନାଁରେ ଏକ ଘରୋଇ କ୍ଲିନିକରେ ହରନିଆ ଅପରେସନ ବାହାନାରେ କିଡନୀ କାଢି ନେଇଥିଲା । ଅପରେସନ ହୋଇଥିବା ସ୍ଥାନରେ ଘା ନଶୁଖିବାରୁ ଗୋରୀଙ୍କ ପଣ୍ଡା ନର୍ସିଂହୋମ ନେଇଥିଲେ ପରିବାର । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଗଲା ବୋଲି ଅଭିଯୋଗ କରିଛନ୍ତି ପୁଅ ।

୫ ଦିନିଆ ରିମାଣ୍ଡରେ ଯାଇଥିବା ନକଲି ଡାକ୍ତର ରମେଶ ସ୍ୱାଇଁକୁ ଜେରା ବେଳେ ଅନେକ କିଛି ସୂଚନା ମିଳିଛି । ୩ ଦିନ ହେଲାଣି ପୋଲିସର ସ୍ୱତନ୍ତ୍ର ଟିମ୍ ଜେରା କରି ବହୁ ତଥ୍ୟ ହାସଲ କରିଛି । ରିମାଣ୍ଡ ବେଳେ ରମେଶ ସ୍ୱାଇଁର ଭୁବନେଶ୍ୱର ଘରୁ ତିନୋଟି କାର ଏବଂ ପଂଜାବରୁ ଗୋଟିଏ କାର ପାଇଛି ପୋଲିସ । ଏମ୍ସ ଓ ଇଫ୍କୋରେ ଚାକିରି ଦେବାକୁ କହି ଠକି ନେଇଛି ୧୨ ଲକ୍ଷ ଟଙ୍କା । ତିନି ଜଣଙ୍କୁ ଚାକିରି କରାଇଦେବାକୁ କହି ୧୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

କେରଳର ଜଣେ ସେନା ଅଧିକାରୀ ଝିଅଙ୍କୁ ମେଡିକାଲରେ ପାଠ ପଢାରେ ଆଡମିଶନ କରାଇଦେବା ନାଁରେ ୨୧ ଲକ୍ଷ ଟଙ୍କା ଠକିଥିବା ତଦନ୍ତ ବେଳେ ଜଣାପଡିଛି । ସଂପୃକ୍ତ ବ୍ୟକ୍ତି ଖୁବଶୀଘ୍ର ଏ ନେଇ ଏତଲା ଦେବେ ବୋଲି ଜଣାପଡିଛି ।