କନକ ବ୍ୟୁରୋ: ପିପିଲିରେ ରାଜନୀତି ତାତି ଜାରି ରହିଥିବାବେଳେ ଏବେ ପିପିଲି ବିଜେପି ପ୍ରାର୍ଥୀଙ୍କ ପତ୍ନୀ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା କଂଗ୍ରେସ । ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପତ୍ନୀ ସ୍ମିତା ମହାନ୍ତିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କଂଗ୍ରେସର କେନ୍ଦ୍ରାପଡା ଓବିସି ସେଲ ଅଧ୍ୟକ୍ଷ । ଅଭିଯୋଗ ଅନୁସାରେ, ସ୍ମିତା ମହାନ୍ତି ପୁରୀ ସବ୍ ରେଜିଷ୍ଟ୍ରାର ଥିବାବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତିକୁ ବେଆଇନ୍ ଭାବେ ବିକ୍ରି କରିଛନ୍ତି ଏବଂ ଏହାକୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛି କଂଗ୍ରେସ ।

Advertisment

କଂଗ୍ରେସ ଜାରି କରିଥିବା ପ୍ରେସ୍ ରିଲିଜରେ କୁହାଯାଇଛି କି, ସ୍ମିତା ମହାନ୍ତି ୨୦୧୨ ମସିହାରେ ପୁରୀ ଜିଲ୍ଲା ସବ-ରେଜିଷ୍ଟ୍ରାର ଥିବା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତିକୁ ଶାଗମାଛ ମୁଲ୍ୟରେ ବେଆଇନ୍ ଭାବରେ ବିତ୍ତଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଆଗୋଚରରେ ବିକ୍ରୀ କରିଦେଇଛନ୍ତି । ଏନେଇ ଗତ ୪ ତାରିଖରେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ଫାଇଭ୍-ଟି ସଚିବ ଏବଂ ରାଜସ୍ୱ ବିଭାଗକୁ ଜଣାଇଥିଲେ ବି ଏଯାବତ୍ କୌଣସି କାର୍ଯ୍ୟନୁଷ୍ଠାନ ହୋଇନାହିଁ ।

ତେବେ ମହାପ୍ରଭୁଙ୍କ ସମ୍ପତ୍ତି ଉଦ୍ଧାର ଓ ଏଭଳି ଅକ୍ଷମଣୀୟ ଅପରାଧ ପାଇଁ ତାଙ୍କୁ ଦଣ୍ଡବିଧାନ କରିବାକୁ ସରକାରଙ୍କୁ ଅନୁରୋଧ କରିବା ସହ ‘ଜଗନ୍ନାଥଙ୍କ ଜମି’ ହଡପକାରୀଙ୍କୁ 'ବିଧାନସଭା ମନା' ଯଜ୍ଞରେ ସାମିଲ ହେବାକୁ ପିପିଲି-ଡେଲାଙ୍ଗବାସୀଙ୍କୁ ଅନୁରୋଧ କରିଛି କଂଗ୍ରେସ ।