ଯାତ୍ରା ପାଇଁ ଯାଉଥିଲେ, ହେଲେ ପାଲଟିଲା ଶେଷଯାତ୍ରା: ବାଙ୍ଗିରୀପୋଷି ଦ୍ୱାରଶୁଣୀ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା

426

କନକ ବ୍ୟୁରୋ: ଯାତ୍ରା ସାରି ଫେରୁଥିଲେ, ଜୀବନ ଯାତ୍ରା ସରିଗଲା । ବାଙ୍ଗିରିପୋଷି ନିକଟ ଦ୍ୱାରଶୁଣି ଘାଟିରେ ଲୁଚି ରହିଥିଲା ମୃତ୍ୟୁର ଦୁର୍ଘଟଣା । ବ୍ରେକ ଫେଲ୍ ହେବାରୁ ଭାରସ୍ୟାମ ହରାଇ ଘାଟି ତଳକୁ ଖସିଗଲା ଯାତ୍ରା ପାର୍ଟି ଟ୍ରକ । ଦେଖୁ ଦେଖୁ ଚାଲିଗଲା ୬ ଜଣ ଶ୍ରମିକଙ୍କ ଜୀବନ । ଆହତ ହେଲେ ୯ ଜଣ । ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ଜଣଙ୍କ ଅବସ୍ଥା ସଂକଟା ରହିଛି ।

ଘର କାନ୍ଥରୁ ବାହାଘର ଚିତା ଲିଭି ନାହିଁ । କାନ୍ଥରେ ଆଜି ବି ସେ ଚିତା ଦାଉଦାଉ ହୋଇ ଝଟକୁଛି । କିନ୍ତୁ ଜୀବନ ଦୀପ ଲିଭି ଯାଇଛି । ଆୟୁଷ ଘଂଟାରେ ସମୟ ସରିଯାଇଛି । ଅବେଳରେ ୩୭ ବର୍ଷିୟ ରୋଜଗାରିଆ ପୁଅର ଦୁର୍ଘଟଣା ପ୍ରାଣ ହରାଇବା ପରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଷ । ବାଙ୍ଗିରପୋଷି ଦ୍ୱାରଶୁଣି ଘାଟିରେ ଯାତ୍ରାପାର୍ଟି ଗାଡି ଦୁର୍ଘଟଣାରେ କଟକ ନିଶ୍ଚିନ୍ତ କୋଇଲି ବ୍ଲକ ଜମାରାର ଅଶୋକ ମଲ୍ଲିକଙ୍କ ମୃତ୍ୟୁ ପରେ ତାଙ୍କ ଗାଁର ଦୃଶ୍ୟ ।ଧଉଳି ଗଣନାଟ୍ୟରେ ଇଲେକ୍ଟ୍ରିକାଲ୍ ୱାର୍କର ଭାବେ ଅଶୋକ କାମ କରୁଥିଲେ । ବଡ କଥା ହେଉଛି, ମାତ୍ର ମାସେ ତଳେ ସେ ଧଉଳି ଗଣନାଟ୍ୟରେ ଯୋଗ ଦେଇଥିଲେ । ୨୦୧୬ରେ ଅଶୋକଙ୍କ ବିବାହ ହୋଇଥିଲା । ଏବେ ତାଙ୍କର ୬ ବର୍ଷର ଛୋଟ ପୁଅଟିଏ ଅଛି । କିନ୍ତୁ ବିଡମ୍ବନାର ବିଷୟ ଦୁର୍ଘଟଣାରେ ଅଶୋକଙ୍କର ମୃତ୍ୟୁ ହୋଇଛି । ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

କେବଳ ଅଶୋକ ନୁହଁନ୍ତି ଯାତ୍ରା ପାର୍ଟି ଗାଡିରେ ଯିବା, ମୋଟ ୬ଜଣଙ୍କ ଶେଷ ଯାତ୍ରା ହୋଇଛି । ମୟୂରଭଞ୍ଜ ଜିଲ୍ଲା ବାଂଗିରିପୋଷି ନିକଟ ଦ୍ୱାରଶୁଣୀ ଘାଟିରେ ଯିବାବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିଲା ଯାତ୍ରା ପାର୍ଟି ଟ୍ରକ । ଆଉ ଟ୍ରକରେ ଥିବା ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ଜଣ ଆହତ ହୋଇଛନ୍ତି ।

ସକାଳ ପ୍ରାୟ ୧୦ଟା
ସ୍ଥାନ- ଦ୍ୱାରଶୁଣୀ ଘାଟି, ମୟୂରଭଞ୍ଜ
ରାଇରଂଗପୁର ବାସିଙ୍ଗିରୁ ଯାତ୍ରା ସାରି ଜଳେଶ୍ୱର ଅଭିମୁଖେ ଟ୍ରକ ଯୋଗେ ବାହାରିଥିଲା ଯାତ୍ରାପାର୍ଟି ଗାଡି । ଟ୍ରକରେ ଯାଉଥିଲା ଯାତ୍ରା ପାର୍ଟିର ବିଭିନ୍ନ ସାମଗ୍ରୀ । ସେହି ଗାଡିରେ ପ୍ରାୟ ୧୫ଜଣ ଶ୍ରମିକ ଶ୍ରେଣୀୟ ଲୋକ ବି ଯାଉଥିଲେ । କିନ୍ତୁ ବିଡମ୍ବନାର ବିଷୟ ଦ୍ୱାରଶୁଣୀ ଘାଟିରୁ ତଳକୁ ଓହ୍ଲାଇବାବେଳେ ଏକ ଅଣଓସାରିଆ ପୋଲ ନିକଟରେ ଗାଡିଟି ତଳକୁ ଖସି ପଡିଥିଲା । ଆଉ ସେହି ଗାଡି ତଳେ ଚାପି ହୋଇଯାଇଥିଲେ ସେଥିରେ ଥିବା ଯାତ୍ରା ପାର୍ଟିର କର୍ମଚାରୀ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକ, ପୋଲିସ୍, ଅଗ୍ନିଶମବାହିନୀ ପହଁଚି ଫଶିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ।

ଟ୍ରକର ବ୍ରେକ ଫେଲ ହୋଇଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । କିନ୍ତୁ ଦ୍ୱାରଶୁଣୀ ଘାଟିରେ ଏହା ପ୍ରଥମ ଦୁର୍ଘଟଣା ନୁହେଁ । ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଯାହାକି ଉଦବେଗର ବିଷୟ । ଅନ୍ୟପଟେ ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସହ ଆହତଙ୍କୁ ଉତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।