ପୁଣେ : ଫ୍ୟାସନ ଷ୍ଟ୍ରିଟ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଦମକଳ ଆସିବା ପୂର୍ବରୁ ଜଳିଗଲା ୫ ଶହ ଦୋକାନ

2,086

କନକ ବ୍ୟୁରୋ : ମହାରାଷ୍ଟ୍ର ପୁନେର କ୍ୟାମ୍ପ ଅଞ୍ଚଳରେ ଥିବା ଫ୍ୟାସନ ଷ୍ଟ୍ରିଟରେ ଅଗ୍ନିକାଣ୍ଡ ଘଟି ୫୦୦ ଦୋକାନ ଜଳିଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ନିଆଁର ଝାସ ଏତେ ଭୟାନକ ଥିଲା ଯେ ମାର୍କେଟରେ ଥିବା ସମସ୍ତ ଦୋକାନ ଜଳି ପାଉଁଶ ହୋଇଯାଇଛି । ଘଟଣାର ଖବର ପାଇ ଦମକଳ ବାହିନୀ ସେଠାରେ ପହଂଚିବା ବେଳକୁ ସମସ୍ତ ଦୋକାନ ଜଳି ଯାଇଥିଲା । ଏହି ଅଗ୍ନିକାଣ୍ଡରେ କୌଣସି ଲୋକ ମୃତାହତ ହୋଇନଥିବା ସୂଚନା ମିଳିଛି ।

ଶୁକ୍ରବାର ରାତି ୧୧ ଟା ସମୟରେ ପୋଲିସକୁ ସୂଚନା ଦିଆଯାଇଥିଲା କି କ୍ୟାମ୍ପ୍ ଅଞ୍ଚଳରେ ଥିବା ଫ୍ୟାସନ ଷ୍ଟିଟରେ ନିଆଁ ଲାଗିଛି । ଏହି ଖବର ପାଇବା ପରେ ଦମକଳ ବାହିନୀ ପକ୍ଷରୁ ସେଠାକୁ ୧୬ ଟି ଗାଡି ପଠାଯାଇଥିଲା । ପୁଣେ କଣ୍ଟେନମେଣ୍ଟ ବୋର୍ଡର ସିଇଓ ଅମିତ୍ କୁମାର କହିଛନ୍ତି କି ନିଆଁର ଝାସ ଏତେ ଭୟଙ୍କର ଥିଲା କି ମାତ୍ର କେଇ ମିନିଟ୍ ମଧ୍ୟରେ ଫ୍ୟାସନ ଷ୍ଟ୍ରିଟରେ ଥିବା ୫୦୦ ଦୋକାନ ଜଳିଯାଇଥିଲା । ବହୁ ଚେଷ୍ଟା ପରେ ନିଆଁକୁ ଆୟତ କରାଯାଇଥିବା କଥା କହିଛନ୍ତି ଅମିତ୍ କୁମାର । ହେଲେ ନିଆଁ ଲାଗିବାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ । ସୂଚନା ମୁତାବକ ଫ୍ୟାସନ ଷ୍ଟ୍ରିଟ୍ ମାର୍କେଟରେ ବିଶେଷ ଭାବେ ଜୋତା ଓ କପଡା ର ଦୋକାନ ରହିଛି । ତେଣୁ ଖୁବଶୀଘ୍ର ନିଆଁ ବ୍ୟାପିଥିବା କଥା କୁହାଯାଇଛି ।

ଅନ୍ୟପଟେ ଶୁକ୍ରବାର ଦିନ ରାତିରେ ଗଂଜପେଟ ଅଞ୍ଚଳରେ ଏକ କବାଡିଆ ଦୋକାନରେ ନିଆଁ ଲାଗିଯିବା ଫଳରେ ଦୋକାନ ଭିତରେ ଶୋଇଥିବା ଜଣେ ୨୭ ବର୍ଷିୟ ଯୁବକଙ୍କର ମୃତ୍ୟୁ ହୋଇଥିବା ଦମକଳ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।