କନକ ବ୍ୟୁରୋ: କାଶ୍ମୀର କୁଲଗାମରେ ଜଣେ ଶିକ୍ଷୟିତ୍ରୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ପୁଣି ଥରେ ବିବାଦୀୟ ବୟାନ ଦେଇ ଅଡୁଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା । ତେବେ ତାଙ୍କୁ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ହତ୍ୟା ବିଷୟରେ ପଚରାଯିବା ପରେ ଫାରୁକ୍ ଅବଦୁଲ୍ଲା କହିଥିଲେ ଯେ, ‘ସମସ୍ତେ ମରିବେ’ ।

Advertisment

ତାଙ୍କର ଏଭଳି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ମୃତ ଶିକ୍ଷୟିତ୍ରୀଙ୍କ ନାଁ ରଜନୀ ବାଲା ବୋଲି ଚିହ୍ନଟ କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା । ରଜନୀ ହେଉଛନ୍ତି ଜମ୍ମୁ ସ୍ଥିତ ଶମ୍ବାର ଇଲାକା ବାସିନ୍ଦା । ରଜନୀଙ୍କୁ ଆତଙ୍କବାଦୀମାନେ ସେ ପଢାଉଥିବା ସମୟରେ ସ୍କୁଲରେ ପଶି ଗୁଳି ମାରି ହତ୍ୟା କରିଥିଲେ । ଗୁଳିମାଡ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ପାଇଁ ଫିଲ୍ମ ‘କାଶ୍ମୀର ଫାଇଲ୍ସ’କୁ ଦାୟୀ କରିଛନ୍ତି ଫାରୁକ ଅବଦୁଲ୍ଲା । ସରକାର ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ । ଜଣେ ମୁସଲମାନ ପ୍ରଥମେ ଜଣେ ହିନ୍ଦୁଙ୍କୁ ହତ୍ୟା କରିବଏଭଳି ସମ୍ଭବ କି? ଆମେ ଏତେ ତଳକୁ ଖସିପାରିବୁ କି ବୋଲି ଫାରୁକ ପ୍ରଶ୍ନ କରିଛନ୍ତି । କାଶ୍ମୀର ଫାଇଲ୍ସ ଏକ ଭିତ୍ତିହୀନ ଫିଲ୍ମ । ଯାହା ଦେଶରେ କେବଳ ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି କରିଛି । ଫିଲ୍ମ ରିଲିଜ୍ ପରେ ଦେଶରେ ମୁସଲମାନମାନଙ୍କ ପ୍ରତି ଘୃଣା ସୃଷ୍ଟି ହେଇିଛି । ଏହି ଫିଲ୍ମ ପ୍ରକୃତରେ କାଶ୍ମୀରରେ ଯୁବକ ମାନଙ୍କ ମଧ୍ୟରେ କ୍ରୋଧ ବଢାଇଛି ବୋଲି ଫାରୁକ୍ କହିଛନ୍ତି ।