ନୂଆଖାଇ ଆଗରୁ ଝାରସୁଗୁଡାରେ ସରିବନି ଧାନ ଚାଷ, ଚିନ୍ତାରେ ଚାଷୀ

169

କନକ ବ୍ୟୁରୋ: ଝାରସୁଗୁଡ଼ା ଜିଲ୍ଲାରେ ନିଅଂଟିଆ ବର୍ଷା ସାଙ୍ଗକୁ ସାର ଅଭାବ ଚାଷୀଙ୍କ ଚିନ୍ତା ବଢାଇଛି । ଜିଲ୍ଲାରେ ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ କମ୍ ବର୍ଷା ରେକର୍ଡ଼ କରାଯାଇଛି । ଯେତିକି ବୃଷ୍ଟିପାତ ହେବା କଥା ତା ଠାରୁ ୬୩ ପ୍ରତିଶତ କମ୍ ବର୍ଷା ହୋଇଛି । ଆଗକୁ ପଶ୍ଚିମ ଓଡ଼ିଶାର କୃଷିଭିତିକ ଗଣପର୍ବ ନୂଆଖାଇ ପଡ଼ୁଛି । ତେଣୁ ଏହାକୁ କିଭଳି ପାଳନ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।

ଭାଦ୍ରବ ମାସରେ ମୁଣ୍ଡଫଟା ଖରା । ନିଅଂଟିଆ ବର୍ଷା ଯୋଗୁଁ ଶୁଖିଲା ପଡ଼ିଛି ନଦୀ, ନାଳ । ପାଣି ଅଭାବରୁ ପ୍ରଭାବିତ ହୋଇଛି ଚାଷ କାମ । ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା ଅଭାବ ଯୋଗୁଁ ଶହଶହ ଏକର ଜମିରେ ଧାନ ଚାଷ ନଷ୍ଟ ହେବାକୁ ବସିଛି । ଏହାସହ ସାର ଅଭାବ ମଧ୍ୟ ଚାଷ କାମରେ ସମସ୍ୟା ସୃଷ୍ଟି କରିଛି । ସାର ମିଳୁନଥିବାରୁ ଚଷୀ ଚଢା ଦରରେ ସାର କିଣୁଛନ୍ତି । ଜୁଲାଇ ମାସରେ ପ୍ରାୟ ୪୨ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଥିବା ବେଳେ ଅଗଷ୍ଟ ମାସରେ ୧୪୫ ମିଲିମିଟର ବର୍ଷା ହୋଇଛି । ଯାହା ବିଗତ ୧୩ ବର୍ଷ ମଧ୍ୟରେ କମ ବୃଷ୍ଠିପାତ ହୋଇଥିବା ଜଣାପଡିଛି ।

ଚଳିତ ବର୍ଷ ସଅଳ ମୌସୁମୀ ଆସିଥିଲା । ଚାଷ ଭଲ ହେବ ବୋଲି ଚାଷୀ ଆଶା ରଖିଥିଲେ । ହେଲେ ଜିଲ୍ଲାରେ କମ୍ ବୃଷ୍ଟିପାତ ହୋଇଛି । ଯେତିକି ବୃଷ୍ଟିପାତ ହୋଇଛି ସେତିକିରେ ରୁଆ ଓ ବେଉଶଣ କାମ ସରିଛି । ଏବେ ଧାନ କ୍ଷୀର ଧରିବା ସମୟ । ହେଲେ ବର୍ଷା ଅଭାବରୁ ବିଲ ଫାଟି ଆଁ କରିଛି । ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର କୃଷିଭିତିକ ଗଣପର୍ବ ନୂଆଖାଇ । ଚାଷୀମାନେ ନୂଆ ଶସ୍ୟରୁ ନବାନ୍ନ ପ୍ରସ୍ତୁତ କରି ଇଷ୍ଟ ଦେବତାଙ୍କୁ ଲାଗି କରିଥାଆନ୍ତି । ହେଲେ ଏ ବର୍ଷ ବର୍ଷା ଅଭାବରୁ ଚାଷ ପଛେଇ ଯାଇଥିବା ବେଳେ ନୂଆଖାଇରେ ନୂଆ ଶସ୍ୟ ମିଳିବା ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।

ଗୋଟିଏ ପଟେ ବର୍ଷା ଲୁଚ କାଳି ଖେଳୁଛି, ଅନ୍ୟପଟେ ନୂଆଖାଇ ପାଖେଇ ଆସୁଛି । କେବଳ ଜଳସେଚିତ ଓ ଖାଲ ଜମିରେ ଚାଷ ହୋଇଥିବା ବେଳେ ଅନ୍ୟ ଜମିର ଚାଷ କାମ ହୋଇପାରିନାହିଁ ।