କେଉଁଠି ରଖିବେ ଅମଳ ଫସଲ? ଶୀତଳ ଭଣ୍ଡାର ଅଚଳ ପଡିଥିବା ବେଳେ ଚିନ୍ତାରେ ଚାଷୀକୂଳ ।

62

କନକ ବ୍ୟୁରୋ: ଅମଳ ଫସଲ କେଉଁଠି ରଖିବେ? ଶୀତଳ ଭଣ୍ଡାର ଅଚଳ ପଡିଥିବା ବେଳେ ଚିନ୍ତାରେ ପଡିଛନ୍ତି ଚାଷୀକୂଳ । ରାୟଗଡା ତୁମ୍ବିଗୁଡା ନିକଟ ରାୟଗଡା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପାଶ୍ୱର୍ରେ ରହିଛି ଶୀତଳଭଣ୍ଡାର । ଦୀର୍ଘ ୨୨ ବର୍ଷ ହେଲା ୮ କୋଟି ଟଙ୍କା ବ୍ୟୟରେ ୫ ହଜାର ମେଟ୍ରିକ୍ ଟନ୍ କ୍ଷମତା ସମ୍ପନ୍ନ ଶୀତଳଭଣ୍ଡାର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଉଦଘାଟନ ଦିନ ହିଁ ଶୀତଳଭଣ୍ଡାରରେ ଚାବି ପଡିଥିଲା । ଏଠାରେ ପ୍ରାୟ ଲୋକ ଚାଷବାସ ଉପରେ ନିର୍ଭର କରନ୍ତି ।

ପନିପରିବାରୁ ନେଇ ବିଭିନ୍ନ ପ୍ରକାର ଫଳ ଯଥା ସପୁରି, ପଣସ ଆଦି ଚାଷ କରୁଛନ୍ତି । ହେଲେ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ହେଉ ନଥିବାରୁ ଚାଷୀମାନେ କ୍ଷତିରେ ପଡୁଛନ୍ତି । ଯାହାର ଫାଏଦା ନେଉଛନ୍ତି ଦଲାଲ ମାନେ । ଉଚିତ ମୂଲ୍ୟ ନଦେଇ କମ୍ ଦର ଦେଇ ବାହାର ରାଜ୍ୟକୁ ରପ୍ତାନି କରି ଲାଭବାନ୍ ହେଉଛନ୍ତି । ସେପଟେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଶୀତଳଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଛନ୍ତି ଚାଷୀ ମାନେ ।

ରାୟଗଡା ଶୀତଳଭଣ୍ଡାରର କାର୍ଯ୍ୟକ୍ଷମ ନେଇ ଜଣାଯାଇଥିବା ବେଳେ ଖୁବଶୀଘ୍ର ଶୀତଳଭଣ୍ଡାରକୁ କାର୍ଯ୍ୟକ୍ଷମ କରିବାକୁ ମିଳିଛି ପ୍ରତିଶ୍ରୁତି । ଦୀର୍ଘବର୍ଷ ହେଲା ବନ୍ଦ ରହିଥିବା ବଳ ଘଟଣାର ମଧ୍ୟ ତଦନ୍ତ କରାଯାଇ ଛୋଟ ଛୋଟ ଶୀତଳଭଣ୍ଡାର ନିର୍ମାଣ କରାଯାଇ ଚାଷୀଙ୍କ ପାଇଁ ପ୍ରଦାନ କରାଯିବ ବୋଲି କୁହାଯାଇଛି ।
ଜିଲ୍ଲାରେ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ନିଜ ଉତ୍ପାଦିତ ଜିନିଷର ଉଚିତ ମୂଲ୍ୟ ନପାଇ କ୍ଷତି ସହୁଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଓ ସରକାର ଯଥାଶୀଘ୍ର ଚାଷୀଙ୍କୁ ଏକ ଶୀତଳଭଣ୍ଡାର ଯୋଗାଇଦେବା ବହୁତ ଜରୁରୀ ହୋଇପଡିଛି ।