ଲଘୁଚାପ ଜନିତ ବର୍ଷା ନେଇ ଚିନ୍ତାରେ ଚାଷୀ : ତରବରିଆ ଭାବେ ବିଲରୁ ଧାନ କାଟି ଘରକୁ ନେଉଛି ଚାଷୀ

63

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ପାଚିଲା ଧାନ ଅମଳ ଚିନ୍ତାରେ ଚାଷୀ କୂଳ । ବତ୍ୟା ଭୟରେ ତରତର ହୋଇ ଧାନ କାଟୁଛନ୍ତି ବାଲେଶ୍ୱର ବସ୍ତା ଅଂଚଳର ଚାଷୀ । ବିଳମ୍ବରେ ବର୍ଷା ହେବା କାରଣରୁ ବିଳମ୍ବରେ ଚାଷ ଆରମ୍ଭ କରିଥିଲା ଚାଷୀ । ମଝିରେ ମଝିରେ ଲଘୁଚାପ ବର୍ଷା ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ । ଏହା ପରେ ଚକଡ଼ା ପୋକ ଲାଗି ଧାନ ନଷ୍ଟ ହୋଇଥିଲା । ଏବେ ବାତ୍ୟା ଆଶଙ୍କା ପୁଣି ଥରେ ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି । ପ୍ରାକୃତିକ ବପର୍ଯ୍ୟୟ ଚାଷୀଙ୍କ ପିଛା ଛାଡ଼ୁନଥିବା ବେଳେ ପରିବାର ପ୍ରତିପୋଷଣକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି । ବିଲରୁ ଧାନ କାଟି ଖଳାରେ ରଖିଲେ ଧାନ ଗଜା ହେବାର ସମ୍ଭାବନା ରହିଛି । ଅମଳ ଧାନ କେଉଁଠି ରଖିବ ତାକୁ ନେଇ ଚାଷୀ ଦ୍ୱନ୍ଦ୍ୱରେ ପଡ଼ିଛି ।

ଲଘୁଚାପ ଜନିତ ବର୍ଷା ନେଇ ଚିନ୍ତାରେ ଚାଷୀ । ପାଣିପାଗ ବିଜ୍ଞାନ ବିଭାଗ ତରଫରୁ ଆସନ୍ତା ୩ତାରିଖରୁ ପ୍ରବଳ ବର୍ଷା ନେଇ ସୂଚନା ମିଳିବା ପରେ ଚାଷୀ ତତ୍ପର ହୋଇ ଉଠିଛନ୍ତି । ଚଳିତ ବର୍ଷ ବହୁ ଜମି ପଡିଆ ପଡିଥିବା ବେଳେ ଜିଲ୍ଲାରେ ୪୭ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଛି । ଗତ କିଛି ଦିନ ତଳେ ଅଦିନିଆ ବର୍ଷାରେ ରାୟଗଡା ଜିଲ୍ଲାରେ ବହୁ ପରିମାଣର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଏବେ ଆଉ ଏକ ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି । ବର୍ଷା ହେଲେ ବର୍ଷକର ଆହାର ନଷ୍ଟ ହୋଇଯିବା ଭୟରେ ଚାଷୀ ତରବରିଆ ଭାବେ ବିଲରୁ ଧାନ କାଟି ଘରକୁ ନେଇଯାଉଥିବାର ଦେଖିବାକୁ ମିଳିଛି । ଧାନ କାଟି ବିଲରେ ନରଖି କିଏ ବିଲପାଖ ଉଚ୍ଚା ସ୍ଥାନରେ ଗଦାକାରୀ ପାଲ ଘୋଡାଇ ରଖିବାକୁ ଚେଷ୍ଟା କରୁଥିବା ବେଳେ କିଏ କନ୍ଦାଥିବା ଧାନକୁ ଟ୍ରାକ୍ଟର ଯୋଗେ ସୁରକ୍ଷିତ ଘରକୁ ନେବାରେ ବ୍ୟସ୍ତ ଅଛନ୍ତି ।