ଚାଲିଗଲା ମୌସୁମୀ, ଦେଇଗଲା ଦୁଃଖ: ଧାନ ଫସଲରେ ମାଡ଼ିଗଲା ଅଜଣା ରୋଗ

105

କନକ ବ୍ୟୁରୋ: ଧାନ ଫସଲରେ ମାଡ଼ି ଗଲା ଅଜଣା ରୋଗ । ଚାଲିଗଲା ମନସୁନ ଦେଇଗଲା ଦୁଃଖ । ଠିକ ସମୟରେ ବର୍ଷା ନ ହେବାରୁ ଏକର ଏକର ଧାନ ଫସଲରେ ଅଜଣା ରୋଗ ଲାଗି ଫସଲ ନଷ୍ଟ ହେବାକୁ ବସିଲାଣି । ଚିନ୍ତାରେ ଚାଷୀ ।

କିଏ ହାତରେ ଧାନ ଗଛ ଧରି ଦେଖାଉଛି ତ କିଏ ଜମିକୁ ଦେଖାଉଛି । ଜଣେ କି ୨ ଜଣ ନୁହେଁ ଏକାଧିକ ଚାଷୀଙ୍କ ସମାନ ଦଶା । ଫସଲ ଭଲ ହୋଇଛି କ୍ଷେତ ସବୁଜ ଦେଖାଯାଉଛି । ଏହି ସବୁଜ ଭିତରେ ଏକ ଅଜଣା ରୋଗ ଲୁଚି ରହିଛି, ଯାହା ପୁରା ଫସଲ ନଷ୍ଟ କରୁଛି । ଧାନ ସବୁ ଅଗାଡ଼ି ହୋଇଯାଉଛି । ଗଛର ଉପର ଅଂଶ ପୋଡ଼ି ଗଲା ଭଳି ଦେଖାଦେଉଛି । କୋରାପୁଟ ଜିଲ୍ଲାର ଜୟପୁର ଓ ବୋରିଗୁମ୍ମା ବ୍ଳକର ଅନେକ ଚାଷୀଙ୍କ ଜମିରେ ରୋଗପୋକ ଦେଖିବାକୁ ମିଳିଛି ।

ଧାନ ଓ ମକା ଚାଷକୁ ଛାଡ଼ି ଦେଲେ ଏହି ଅଚଂଳରେ ଆଉ କିଛି ଚାଷ ହୁଏ ନାହିଁ । ଧାନ ଥୋଡ୍ ବାହାରିଲା ବେଳକୁ ଅଜଣା ରୋଗ ଚାଷୀଙ୍କ ଚିନ୍ତାର କାରଣ ହୋଇଛି  । ଧାନରେ କି ରୋଗ ହୋଇଛି ତାହା ଜଣାପଡୁନାହିଁ । ହେକ୍ଟର ହେକ୍ଟର ଜମିରେ ଫସଲ ନଷ୍ଟ ହେଉଥିବା ବେଳେ ଏନେଇ ରାଜସ୍ୱ ନୀରିକ୍ଷକଙ୍କ ଠାରୁ ଆରମ୍ଭ କରି ଗ୍ରାମ ସେବକ ଯାଏଁ ସମସ୍ତଙ୍କୁ ଜଣାଇଲେ ବି କେହି ଶୁଣୁନାହାନ୍ତି ।