ରାଜ୍ୟର ୨୭ ଜିଲ୍ଲାରେ କମ୍ ବୃଷ୍ଟିପାତ । ଜୁନରୁ ଅଗଷ୍ଟ ମାସରେ ୩୦ ପ୍ରତିଶତ କମ୍ ବର୍ଷା, ପାଣି ଅଭାବରୁ ଉଜୁଡିଲାଣି ଚାଷ । ଧାନ ଜମି ଫାଟି ଆଁ, ଚାଷୀକୂଳ ହତାଶ ।

197

କନକ ବ୍ୟୁରୋ : ଶ୍ରାବଣ ମାସରେ ବର୍ଷା ଉଭାନ । ୩ ମାସରେ ୩୦ ପ୍ରତିଶତ କମ୍ ବର୍ଷା, ରାଜ୍ୟର ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା । ଶ୍ରାବଣ ମାସରେ ମୂଷଳ ଧାରାରେ ବର୍ଷା ହୁଏ, କିନ୍ତୁ ଏଥର କାଁ ଭାଁ ବର୍ଷା ହେଉଛି । ଲଗାଣ ବର୍ଷା ଦେଖିବାକୁ ମିଳୁନି । ନଈ, ନାଳରେ ବି ପାଣି ନାହିଁ । ଉପର ମୁଣ୍ଡରୁ ତଳମୁଣ୍ଡ ଯାଏଁ ନିଅଣ୍ଟିଆ ବର୍ଷା ଯୋଗୁଁ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ୨୭ଟି ଜିଲ୍ଲାରେ ବର୍ଷା ସ୍ୱାଭାବିକ ଠାରୁ କମ ହୋଇଛି ।

ମୌସୁମୀ ଋତୁରେ ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ପ୍ରାୟ ୧୧ଟି ଲଘୁଚାପ ହୋଇଥାଏ । ଏହାର ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହୁଏ । ଏବର୍ଷ ମାତ୍ର ୫ଟି ଲଘୁଚାପ ହୋଇଛି । ଯାହା ଫଳରେ ବର୍ଷା ପରିମାଣ କମିଯାଇଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର, ଭଦ୍ରକ, କେନ୍ଦୁଝର ଓ ବଲାଙ୍ଗୀର । ଯାଜପୁରରେ ୫୪ ପ୍ରତିଶତ କମ ବର୍ଷା ହୋଇଛି, ୫୦ ପ୍ରତିଶତ କମ ବର୍ଷା ହୋଇଛି ଭଦ୍ରକରେ । କେନ୍ଦୁଝର ଓ ବଲାଙ୍ଗୀରରେ ୪୨ ପ୍ରତିଶତ କମ ବର୍ଷା ହୋଇଛି ।

ଜିଲ୍ଲା                  ବର୍ଷା
ଯାଜପୁର          -୫୪%
ଭଦ୍ରକ              -୫୦%
କେନ୍ଦୁଝର         -୪୨%
ବଲାଙ୍ଗୀର        -୪୨%

ଏପଟେ ବର୍ଷା ଅଭାବରୁ ପଶ୍ଚିମ ଓଡ଼ିଶାରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଚାଷ କାମ ଉଜୁଡି ଯିବାକୁ ବସିଛି । ମରୁଡ଼ି ଭଳି ସ୍ଥିତି ଉପୁଜିଛି । କୁଚିଣ୍ଡାରେ ଚାଷୀ ହତାଶ ହୋଇ ଇଦ୍ରପୂଜା କରି ବର୍ଷା ପାଇଁ ପ୍ରାର୍ଥନା କରୁଥିବା ଭଳି ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ପୁରୀ ଜିଲ୍ଲା ଅସ୍ତରଙ୍ଗରେ ନିଅଣ୍ଟିଆ ବର୍ଷା ଯୋଗୁଁ ଖରିଫ ଧାନ ଫସଲ ଉପରେ ପ୍ରଭାବ ପଡିଛି । ଆକାଶରେ ଭସା ବାଦଲ, ଠାଏ ଠାଏ ବର୍ଷା ହେଉଛି । ଯେତିକି ବର୍ଷା ହେଉଛି, ତାହା ଚାଷ ପାଇଁ ଯଥେଷ୍ଟ ହେଉନାହିଁ । ଏପଟେ ବର୍ଷା ଅଭାବରୁ ଅସ୍ତରଙ୍ଗ ବ୍ଲକରେ ପ୍ରାୟ ଅଢ଼େଇ ହଜାର ହେକ୍ଟର ଜମି ପଡିଆ ପଡିଛି । ଯେଉଁ ସାଢ଼େ ୬ ହଜାର ହେକ୍ଟର ଜମିରେ ଧାନ ରୁଆ ହୋଇଥିଲା, ସେସବୁ ଏବେ ଶୁଖିବାକୁ ଲାଗିଲାଣି । ନିଜ ଉଜୁଡ଼ା ଫସଲକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଧାନ ବିଲରେ ପାଣି ମଡାଇ ଫସଲକୁ ବଞ୍ଚାଇବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛନ୍ତି ଚାଷୀ । ହେଲେ ଏହି ମାସ ସୁଦ୍ଧା ଭଲ ବର୍ଷା ନ ହେଲେ ଅସ୍ତରଙ୍ଗ ଅଞ୍ଚଳରେ ମରୁଡ଼ି ପଡିବା ଆଶଙ୍କା ରହିଛି ।