ଗାଜିପୁର ସୀମାରେ ପୁଣି ବଡ ଆନ୍ଦୋଳନ ପାଇଁ କୃଷକଙ୍କ ପ୍ରସ୍ତୁତି । ଆନ୍ଦୋଳନରେ ଯୋଗଦେବାକୁ ସହାରନପୁରରୁ ବାହାରିଲା ଟ୍ରାକ୍ଟର ରାଲି

133

କନକ ବ୍ୟୁରୋ : କିଛି ଦିନର ନିରବତା ପରେ ପୁଣି ଗାଜିପୁର ସୀମାରେ ଆନ୍ଦୋଳନକୁ ଜୋରଦାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କୃଷକ ସଂଗଠନମାନେ । ଏହି କ୍ରମରେ ସହାରନପୁରରୁ ଏକ ବଡ ଟ୍ରାକ୍ଟର ରାଲି କରି ଗାଜିପୁର ବାହାରିଛନ୍ତି ହଜାର ହଜାର କୃଷକ । ଏହାସହ ମୁଜପରପୁର ଓ ମେରଠରୁ ହଜାର ହଜାର କୃଷକ ଗାଜିପୁର ସୀମାରେ ଯୋଗଦେବାକୁ ବାହାରିଛନ୍ତି । ସହାରନପୁରରେ ମିଳିତ କୃଷକ ମୋର୍ଚ୍ଚାର ନେତା ଚୌଧୁରୀ ବିନୟ କୁମାରଙ୍କ ନେତୃତ୍ୱରେ ହଜାର ହଜାର କୃଷକ ଟ୍ରାକ୍ଟର ସହ ଆନ୍ଦୋଳନରେ ଯୋଗ ଦେବାକୁ ବାହାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ପୋଲିସ କର୍ମୀଙ୍କୁ ସଜାଗ କରାଯାଇଛି ।

ସେପଟେ ଭାରତୀୟ କିଷାନ ୟୁନିୟନର ନେତା ଚୌଧୁରୀ ରାକେଶ ଟିକାୟତ କହିଛନ୍ତି ବିଜେପି ସରକାର କୃଷକ ବିରୋଧୀ । ସରକାରଙ୍କ କହିବା ଓ କରିବା ମଧ୍ୟରେ ଅନେକ ପାର୍ଥକ୍ୟ ଦେଖା ଦେଇଛି ।

ସୂଚନା ଥାଉକି କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ପ୍ରତ୍ୟାହାର ଓ କୃଷି ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ପରିସରଭୂକ୍ତ କରିବାକୁ ୭ ମାସ ହେବ କୃଷକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । କରୋନା କାଳରେ ଆନ୍ଦୋଳନ ଟିକେ ଥମିିଥିବା ବେଳେ ଏବେ ପୁଣି ଆନ୍ଦୋଳନକୁ ଜୋରଦାର କରିବାକୁ ଡାକରା ଦେଇଛନ୍ତି ରାକେଶ ଟିକାୟତ । ଏହି କ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ କୃଷକ ମାନେ ପୁଣି ଗାଜିପୁର ସୀମାରେ ଏକତ୍ରୀତ ହେଉଥିବା ଦେଖିବାକୁ ମିଳିଛି ।

କେବଳ ଦିଲ୍ଲୀ ସୀମା ନୁହେଁ ଏବେ ଆନ୍ଦୋଳନକୁ ବିଭିନ୍ନ ରାଜ୍ୟରେ ଆରମ୍ଭ କରିବାକୁ ଯୋଜନା କରିଛି ଭାରତୀୟ କିଷାନ ୟୁନିୟନ । ଏନେଇ ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କରିଛନ୍ତି ।