ଧାନ ଅମଳ ହେଲାଣି ହେଲେ ସରକାରୀ ମଣ୍ଡି ଖୋଲିନି । ଧାନ ଅମଳ କରି ଖଳାରେ ରଖିଛନ୍ତି ଚାଷୀ, କମ ଦରରେ କିଣି ନେଉଛନ୍ତି ଦଲାଲ ।

144

କନକ ବ୍ୟୁରୋ : ଅନେକ ବାଧା ବିଘ୍ନ ଭିତରେ କଳାହାଣ୍ଡି ଜିଲ୍ଲାରେ ଧାନ ଅମଳ ହୋଇଛି । ବର୍ଷା ଯୋଗୁଁ ଚାଷ ପ୍ରଭାବିତ ହୋଇଥିଲେ ବି କିଛି ଫସଲ ଅମଳ କରି ଖଳାକୁ ଆଣିଛନ୍ତି ଚାଷୀ । ହେଲେ ଜିଲ୍ଲାରେ ମଣ୍ଡିର ବ୍ୟବସ୍ଥା ହୋଇନଥିବାରୁ ଧର୍ମଗଡର ଚାଷୀ ଦଲାଲ ଶୋଷଣର ଶିକାର ହେଉଛନ୍ତି ।

ରାଜ୍ୟରେ ଧାନ ଉତ୍ପାଦନରେ ଦ୍ୱିତୀୟ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ । ଚଳିତ ବର୍ଷ ବର୍ଷାଭାବ ଯୋଗୁଁ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଯାହା ଅଳ୍ପ କିଛି ଅମଳ ହୋଇଛି, ତାକୁ ବିକିବାକୁ ଚିନ୍ତାରେ ପଡିଛନ୍ତି ଚାଷୀ । କାରଣ ଧାନ କ୍ରୟ ପାଇଁ ପ୍ରଶାସନ ମଣ୍ଡି ବ୍ୟବସ୍ଥା କରିଥିବା ବେଳେ ତାହା ଏ ଯାଏଁ କାର୍ଯ୍ୟକାରୀ ହୋଇପାରି ନାହିଁ । ମଣ୍ଡି ସମସ୍ୟା ଯୋଗୁଁ ଶୋଷଣର ଶିକାର ହୋଇଛି ଚାଷୀ । ଏହାର ସୁଯୋଗ ନେଇ ଦଲାଲ ଚାଷୀଙ୍କ ଠାରୁ କମ୍ ଦରରେ ଧାନ କିଣି ଗଚ୍ଛିତ ରଖୁଥିବା ଅଭିଯୋଗ ହୋଇଛି ।

ଜୟପାଟଣା, ଧର୍ମଗଡ, ଜୁନାଗଡ ବ୍ଲକରେ ଚାଷୀ ଧାନ ଅମଳ କରି ଖଳାରେ ରଖିଛନ୍ତି । ପ୍ରାୟ ୬୦ ଭାଗ ଅମଳ ହୋଇସାରିଥିଲେ ହେଁ ଜିଲ୍ଲାରେ ସରକାରୀ ଦରରେ ଧାନ ସଂଗ୍ରହ ହୋଇପାରି ନାହିଁ । ଫଳରେ କ୍ଷୁଦ୍ର ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ଆସିଛି । ସେପଟେ ମଣ୍ଡି ସମସ୍ୟାକୁ ଅସ୍ତ୍ର କରି ଦଲାଲ କ୍ବିଣ୍ଟାଲ ପ୍ରତି ୮୫୦ ରୁ ୯୦୦ ଟଙ୍କାରେ ଧାନ କିଣି ନେଉଛନ୍ତି । ସେପଟେ ଧର୍ମଗଡ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଛନ୍ତି, ପ୍ରଶାସନିକ ସ୍ତରରେ ଧାନ ମଣ୍ଡି ଖୋଲିବା ନେଇ ସମସ୍ତ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ଯୋଗାଣ ବିଭାଗ ଓ ମିଲରସ ମାନଙ୍କ ମଧ୍ୟରେ ଧାନ କିଣିବାକୁ ନେଇ କୌଣସି ବୈଠକ କିମ୍ବା ଚୁକ୍ତି ହୋଇ ନ ଥିବାରୁ ଧାନ ବିକ୍ରିକୁ ନେଇ ଆଶା ଓ ଆଶଙ୍କାରେ ଚାଷୀ ।