କୃଷକଙ୍କ ଟ୍ରାକ୍ଟର ରାଲିକୁ ମିଳିଲା ଗ୍ରୀନ ସିଗନାଲ୍: ସର୍ତ୍ତମୂଳକ ଅନୁମତି ଦେଲା ଦିଲ୍ଲୀ ପୋଲିସ; ୫ଟି ରୁଟରେ ୧୦୦ କିମି ପର୍ଯ୍ୟନ୍ତ କରିିବେ ଶୋଭାଯାତ୍ରା

ରାଲି ପରେ ପୂର୍ବସ୍ଥାନକୁ ଫେରି ଆସିବେ ଚାଷୀ

229

କନକ ବ୍ୟୁରୋ: ଜାନୁଆରୀ ୨୬ରେ ଦିଲ୍ଲୀରେ ପ୍ରବେଶ କରିବେ ଆନ୍ଦୋଳନରତ କୃଷକ । ପାଳନ କରିବେ କୃଷକ ଗଣତନ୍ତ୍ର ଦିବସ । ଏଥିପାଇଁ କୃଷକ ସଂଗଠନକୁ ସର୍ତ୍ତମୂଳକ ଅନୁମତି ଦେଇଛି ଦିଲ୍ଲୀ ପୋଲିସ । କୃଷକମାନଙ୍କୁ ଦିଲ୍ଲୀର ୫ଟି ରାସ୍ତା ଦେଇ ୧୦୦ କିମି ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି କରିବାକୁ ଅନୁମତି ମିଳିଛି ।

ସୂଚନା ଅନୁଯାୟୀ, ସିନ୍ଧୁ, ତିଖିରୀ, ଗାଜିପୁର, ପଲୱାଲ ଓ ଶାହାଜହାନପୁରରୁ କୃଷକଙ୍କ ଟ୍ରାକ୍ଟର ରାଲି ବାହାରିବ । ତେବେ କେଉଁ ରୁଟ୍ ଦେଇ ଟ୍ରାକ୍ଟର ରାଲି ଯିବ ସେ ନେଇ ଆଜି ପୋଲିସକୁ ଲିଖିତ ଆକାରରେ ଦେବେ କୃଷକ ସଂଗଠନ । ରୁଟ୍ ଚାଟ୍ ଦେବା ପରେ ପୋଲିସ ତର୍ଜମା କରିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି । ରାଲି ସମ୍ପୂର୍ଣ୍ଣ ଭାବେ ଶାନ୍ତି ପୂର୍ଣ୍ଣ ରହିବା ସହ କୌଣସି ସରକାରୀ କାର୍ଯ୍ୟକ୍ରମ ଯେପରି ପ୍ରଭାବିତ ନହେବ, ସେଥିପାଇଁ ପ୍ରତିଶ୍ରୁତି ଦେଇଛନ୍ତି କୃଷକ ସଂଗଠନ । କୃଷକଙ୍କ ପ୍ରବେଶ ପାଇଁ ସିନ୍ଧୁ ବର୍ଡର, ତିଖିରୀ ବର୍ଡର, ଗାଜିପୁର ବର୍ଡରରୁ ବ୍ୟାରିକେଡକୁ ହଠାଇ ଦିଆଯିବ ।

ତେବେ ଶୋଭାଯାତ୍ରା ଶେଷ ହେବା ପରେ କୃଷକମାନଙ୍କୁ ଦିଲ୍ଲୀ ଭିତରେ ରହିବାକୁ ଦିଆଯିବ ନାହିଁ । ସେମାନଙ୍କୁ ପୂର୍ବସ୍ଥାନକୁ ପୁଣି ଫେରି ଆସିବାକୁ କୁହାଯାଇଛି । କୃଷକଙ୍କ ରାଲି କରିବାକୁ ଅନୁମତି ମିଳିବା ପରେ ଖୁସି ଜାହିର କରିଛନ୍ତି ଆନ୍ଦୋଳନରତ କୃଷକ । ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଳୀ ସୀମାରେ ପ୍ରାୟ ୨ ମାସ ହେଲା ଆନ୍ଦୋଳନ କରୁଛନ୍ତି କୃଷକ । ସରକାର ଓ କୃଷକଙ୍କ ମଧ୍ୟରେ ୧୧ ଥର ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ ।