ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ : ଆଜି ଗାଜିପୁରରୁ ପଲବଲ ଯାଏଁ ଚାଷୀଙ୍କ ଟ୍ରାକ୍ଟର ରାଲି

କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ଏବେ ବି ଅଟଳ ଚାଷୀ; ୨୬ ଜାନୁଆରୀରେ ଟ୍ରାକ୍ଟର ରାଲି ପାଇଁ ଚେତାବନୀ

177
କନକ ବ୍ୟୁରୋ : କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ-ହରିୟାଣା ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀ ଆଜି ପୁଣି ଶକ୍ତି ପ୍ରଦର୍ଶନ । ଟ୍ରାକ୍ଟର କାଲି ବାହାର କରି ଦିଲ୍ଲୀକୁ ଘେରିବେ ଚାଷୀ । ସିଙ୍ଘୁ, ଟିକରି ଓ ଶାହଜାହନପୁର ସୀମାରୁ ଏହି ଟ୍ରାକ୍ଟର ରାଲି ବାହାରିଛି । ଏହି ରାଲି ଦିଲ୍ଲୀର କେଏମପି ଏକପ୍ରେସ ୱେକୁ ଆସିବ ଓ ଏଠାରେ ଚାଷୀମାନେ ଶକ୍ତି ପ୍ରଦର୍ଶନ କରିବେ । ଏଥିପାଇଁ ବିଭିନ୍ନ ସ୍ଥାନରୁ ଟ୍ରାକ୍ଟର ଆସିବା ଆରମ୍ଭ ହୋଇଛି ।
କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ଦାବି ମାନିବା ଲାଗି ଏହାଦ୍ୱାରା ସରକାରଙ୍କୁ ସନ୍ଦେଶ ଦିଆଯିବ । ଆସନ୍ତାକାଲି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ନବମ ପର୍ଯ୍ୟାୟ ବୈଠକ ବସିବ । ଏହାପୂର୍ବରୁ ଚାଷୀମାନେ ଆଜି ବଡ ପ୍ରଦର୍ଶନ କରିଛନ୍ତି । କାଲି ବୈଠକରୁ ନିଷ୍କର୍ସ ନ ବାହାରିଲେ ୯ ତାରିଖରେ କୃଷି ଆଇନର କରି ଜଳାଇବାକୁ କୃଷକମାନେ ନିଷ୍ପତି ନେଇଛନ୍ତି ।
ସେହିଭଳି ୨୬ ତାରିଖ ଦିନ ଟ୍ରାକ୍ଟର ପରେଡର ବି ଚେତାବନୀ ଦେଇଛନ୍ତି କୃଷକ । ଟ୍ରାକ୍ଟର ରାଲିକୁ ଦୃଷ୍ଟିରେ ରଖି ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ହରିୟାଣା ଓ ଗାଜିଆବାଦ ପୁଲିସ ଏଥିପାଇଁ ଆଡଭାଇଜାରି କରିଛି । ଏକ୍ସପ୍ରେସ ୱେର ଟ୍ରାଫିକକୁ ଡାଇଭର୍ଟ କରାଯାଇଛି । ଚାଷୀ ଆନ୍ଦୋଳନ ଆଜି ୪୩ ଦିନରେ ପଂହଚିଥିବାବେଳେ ଟ୍ରାକ୍ଟର ରାଲି ମାଧ୍ୟମରେ ଶକ୍ତି ପ୍ରଦର୍ଶନ ଦେଖାଉଛନ୍ତି ଚାଷୀ ।