କନକ ବ୍ୟୁରୋ : ଆଜି ଦେଶ ୭୮ ତମ ସ୍ୱାଧୀନତା ଦିବସ ବେଶ୍ ଜାକଜମକରେ ପାଳନ କରୁଛି । ଚାରିଆଡେ ଉତ୍ସବର ମାହୋଲ, ନେତାଙ୍କ ଠାରୁ ଜନତା ସ୍ୱାଧୀନତା ଉତ୍ସବପାଳନରେ ବ୍ୟସ୍ତ । ହେଲେ ସେପଟେ ହରିଆଣାର କୃଷକମାନେ ପୁଣି ପୁରୁଣା ଦାବି ଉଠାଇ ଟ୍ରାକ୍ଟର ମାର୍ଚ୍ଚ କରିଛନ୍ତି । ସେମାନେ ସମସ୍ତ ଫସଲ ଉପରେ ସର୍ବନିମ୍ନ ସହାୟକ ଦରକୁ ଆଇନ ସମ୍ମତ କରିବା ସହ ଅନେକ ଦାବି ନେଇ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୁର ୟୁନିୟନ ନିଜର ଦିଲ୍ଲୀ ଚାଲ ଅଭିଯାନ କ୍ରମରେ ଏହି ଟ୍ରାକ୍ଟରମାର୍ଚ୍ଚ ଆରମ୍ଭ କରିଛି । ଏହି ଅଭିଯାନରେ ଅମୃତସରରୁ ଆରମ୍ଭ ହୋଇଛି । ଏଥିରେ ଜାତୀୟ ପତାକା ଲଗାଇ ପାଖାପାଖି ୬୦୦ ଟ୍ରାକ୍ଟର ଭାଗ ନେଇଛନ୍ତି । କୃଷକ ନେତା ସରବନ ସିଂ ପନେ୍ଧରଙ୍କ ନେତୃତ୍ୱରେ ଏହି ଟ୍ରାକ୍ଟର ରାଲି ଅଟାରୀ ସୀମାରୁ ଆରମ୍ଭ ହୋଇ ଗୋଲଡେନ ଗେଟ୍ ନିକଟରେ ସମାପ୍ତ ହୋଇଛି । ପନେ୍ଧର କହିଛନ୍ତି କି, ଏହି ଟ୍ରାକ୍ଟରମାର୍ଚ୍ଚ ମାଧ୍ୟମରେ କେନ୍ଦ୍ର ସରକାର ଆଣିଥିବା ଅପରାଧିକ ଆଇନକୁ ବିରୋଧ କରାଯିବା ସହ କୃଷକଙ୍କୁ ଋଣ ଛାଡ ଓ ଅନ୍ୟାନ୍ୟ ଦାବି ଉଠାଯାଇଛି ।
ସେପଟେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘଦିନ ହେବ କୃଷକମାନେ ଶମ୍ଭୁ ସୀମାରେ ସେମାନଙ୍କର ଆନ୍ଦୋଳନ ଜାରି ରଖିଛନ୍ତି । ଏହାସହ ସରକାର ତୁରନ୍ତ ସମସ୍ତ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା ସହ ଏହାକୁ ଆଇନ ପରିସରକୁ ଆଣିବାକୁ ଦାବି କରିଛନ୍ତି ।