ଚାଷୀଙ୍କୁ ମିଳିବ କାଳିଆ ତୃତୀୟ କିସ୍ତି ଟଙ୍କା : ଏଥର ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ ଦିଆଯିବ କାଳିଆ ଟଙ୍କା

 ଆଜି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ସେପଟେ ଚାଷୀଙ୍କୁ ଦିଆଯିବ ପିଏମ କିଷାନ ପ୍ରଥମ କିସ୍ତିି ଟଙ୍କା

2,361

କନକ ବ୍ୟୁରୋ : ଚାଷୀଙ୍କୁ ମିଳିବ କାଳିଆ ତୃତୀୟ କିସ୍ତି ଟଙ୍କା । ଆଜି ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ କୃଷି ବିଭାଗ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏଥର ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ କାଳିଆ ଅର୍ଥ ପ୍ରଦାନ କରାଯିବ । ଏହି ତାଲିକାରେ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହିତ ନୂଆ ହିତାଧିକାରୀମାନଙ୍କ ସଂଖ୍ୟା କେତେ ତାହା ଜଣାପଡିନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜିଲ୍ଲାସ୍ତରରେ ଆବଶ୍ୟକ ପ୍ରକ୍ରିୟା ଶେଷ କରି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ପଠାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ଚଳିତବର୍ଷ ପାଇଁ ପ୍ରଥମ କିସ୍ତି ପିଏମ କିଷାନ ଟଙ୍କା ମଧ୍ୟ ପ୍ରଦାନ କରିବେ କେନ୍ଦ୍ର ସରକାର । ତେଣୁ ପ୍ରଥମଥର ପାଇଁ ପିଏମ କିଷାନ ସହିତ ରାଜ୍ୟ ସରକାର ମଧ୍ୟ କାଳିଆ ଟଙ୍କା ପ୍ରଦାନ କରିବାକୁ ଯାଉଛନ୍ତି ।  ତେଣୁ ପିଏମ କିଷାନ ସହାୟତାର ପ୍ରଥମ କିସ୍ତି ବାବଦ ୨ ହଜାର ଟଙ୍କା ଏବଂ କାଳିଆ ସହାୟତାର ତୃତୀୟ କିସ୍ତି ବାବଦରେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ହିତାଧିକାରୀମାନଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯିବ ।

ସୂଚନାନୁସାରେ , ୨୦୧୮ ମସିହା ଡିସେମ୍ବରରେ ‘କାଳିଆ’ ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା । ସେଥିରେ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବା ବେଳେ ୧୪ ଲକ୍ଷ ୭୦ ହଜାର ୫୮୬ ଜଣ ଭୂମିହୀନ ଚାଷୀ ସହାୟତା ପାଇଥିଲେ। କିନ୍ତୁ ପ୍ରଥମ କିସ୍ତି ହିତାଧିକାରୀ ତାଲିକା ଯାଞ୍ଚ ପରେ ଦ୍ବିତୀୟ କିସ୍ତି ଅର୍ଥ ପ୍ରଦାନ ପୂର୍ବରୁ ୨ ଲକ୍ଷ ୪୦ ହଜାର ୨୩୭ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଥିଲା । ଅର୍ଥାତ୍‌ ୨୦୧୯ ଖରିଫ ଋତୁ ପାଇଁ କାଳିଆର ଦ୍ବିତୀୟ କିସ୍ତି ଅର୍ଥ ମୋଟ ୪୮ ଲକ୍ଷ ୬୫ ହଜାର ୫୩ ଜଣ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା। ଦ୍ବିତୀୟ କିସ୍ତିରେ ୩୨ ଲକ୍ଷ ୫୫ ହଜାର ୬୫୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୬ ଲକ୍ଷ ୯ ହଜାର ୪୦୨ ଜଣ ଭୂମିହୀନ ଚାଷୀଙ୍କୁ ଆଉ ୫ ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା ।

ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ବାବଦରେ ମୋଟ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ସେଥିପାଇଁ ତୃତୀୟ ତଥା ଶେଷ କିସ୍ତି ବାବଦରେ ଏହି ବର୍ଗର ଚାଷୀମାନଙ୍କୁ ବାକି ୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ । ଏହାଭିତରେ ସେମାନଙ୍କ ସଂଖ୍ୟା କମିଛି କି ବଢ଼ିଛି, ସେ ତଥ୍ୟ ମିଳିପାରିନାହିଁ । ସେହିପରି ହିତାଧିକାରୀ ତାଲିକାରେ ନୂଆ ହୋଇ ସାମିଲ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨ ହଜାର କି ୫ ହଜାର ଟଙ୍କା ପ୍ରଦାନ କରାଯିବ ସେ ନେଇ କୃଷି ବିଭାଗରେ ଘନଘନ ବୈଠକ ବସିଥିଲା । ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏ ନେଇ ଘୋଷଣା କରାଯିବ, ସେଥିପାଇଁ ଏ ସମ୍ପର୍କରେ ମନ୍ତ୍ରୀ ନା ବିଭାଗୀୟ ଅଧିକାରୀ କେହି ମୁହଁ ଖୋଲିନାହାନ୍ତି ।