କେନ୍ଦ୍ରର ୩ଟି କୃଷି ଆଇନ : କାହିଁକି ବିରୋଧ କରୁଛନ୍ତି ଚାଷୀ ସଂଗଠନ ?

182

କନକ ବ୍ୟୁରୋ : ସଂସଦରେ ଗୃହୀତ ହୋଇଥିବା ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତବର୍ଷଠାରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି କୃଷକ ସଂଗଠନ । ତଥାପି କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରୁନଥିବାରୁ ଚାପ ପକାଇବା ପାଇଁ ଆଜି ୧୦ ଘଂଟିଆ ଭାରତ ବନ୍ଦ ପାଳନ କରୁଛନ୍ତି । ଏହି ଆନ୍ଦୋଳନକୁ କଂଗ୍ରେସ ସମେତ, ଆମ ଆଦମୀ ପାର୍ଟି, ଆରଜେଡି, ଟିଡିପି, ୱାଇଏସଆର କଂଗ୍ରେସ ଏବଂ ବାମ ଦଳ ସମେତ ୧୨ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ରଖିବା ପାଇଁ ଆହ୍ୱାନ ଦିଆଯାଇଛି ।

ଆନ୍ଦୋଳନକାରୀଙ୍କ ସହିତ ସରକାର ତୁରନ୍ତ ଆଲୋଚନା ଆରମ୍ଭ କରନ୍ତୁ ବୋଲି ଦଳ ଦାବି କରିଛି । ପ୍ରତ୍ୟେକ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ- ଏମଏସପିକୁ ଆଇନଗତ ଅଧିକାର ଭାବେ ଲାଗୁ କରିବାକୁ ଦାବି ହେଉଛି । ବିହାରରେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ସଂଯୁକ୍ତ କିଷାନ ମୋର୍ଚ୍ଚାର ବନ୍ଦକୁ ସମର୍ଥନ ଜଣାଇଛନ୍ତି । ତେବେ କରୋନା ପରେ ଅର୍ଥନୀତି ଅବସ୍ଥା ଠିକ ନଥିବାରୁ ଭାରତ ବନ୍ଦ ଡାକରା ଅର୍ଥନୀତି ପାଇଁ ଠିକ ନୁହେଁ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାର କୃଷକ ସଂଗଠନ ଗୁଡିକ ସହିତ ୧୧ ଥର ଆଲୋଚନା କରିଛନ୍ତି । ଶେଷଥର ପାଇଁ ଗତ ଜାନୁଆରୀ ୨୨ ତାରିଖରେ ଆଲୋଚନା ହୋଇଥିଲା ।

ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ କୃଷକମାନଙ୍କ ଟ୍ରାକ୍ଟର ରାଲିରେ ବ୍ୟାରକ ହିଂସାକାଣ୍ଡ ପରେ ଉଭୟ ପକ୍ଷ ଆଉ ଆଲୋଚନା କରିନାହାନ୍ତି । କୃଷି ଆଇନ ଦ୍ୱାରା ଦେଶରେ କୃଷିକ୍ଷେତ୍ରର ଘରୋଇକରଣ ହୋଇଯିବ ବୋଲି ଆଶଙ୍କା କରୁଛନ୍ତି କୃଷକ ସଂଗଠନ । ଚାଷବାସ କମ୍ପାନିଙ୍କ ଦ୍ୱାରା ନିୟନ୍ତ୍ରିତ ହେବା ଆଶଙ୍କା ପ୍ରକାଶ ପାଇଛି । ଦେଶରେ ମଣ୍ଡି ବ୍ୟବସ୍ଥା ଓ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡିପାରେ ବୋଲି ଚାଷୀ ଭୟ କରୁଛନ୍ତି । ଗତ ଜାନୁଆରୀରେ ସୁପ୍ରିମକୋର୍ଟ ଏହି ୩ ଆଇନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ଅଚଳାବସ୍ଥା ଦୂର କରିବାକୁ ଏକ କମିଟି ଗଠନ କରିଛନ୍ତି ।

ତେବେ ଜାଣନ୍ତୁ କ’ଣ ରହିଛି କୃଷକଙ୍କ ଚିନ୍ତା । କାହିଁକି କେନ୍ଦ୍ରର ୩ଟି କୃଷି ଆଇନକୁ ବିରୋଧ କରୁଛନ୍ତି ଚାଷୀ ସଂଗଠନ ।
– କଂଟ୍ରାକ୍ଟ ଫାର୍ମିଂ ଓ କୃଷି ବଜାର ପ୍ରତିଷ୍ଠା କଲେ କମ୍ପାନି ଗୁଡିକର କର୍ତୃତ୍ୱ ବଢିଯିବ ଓ କୃଷି ଉତ୍ପାଦର ମୂଲ୍ୟ ସେମାନେ ନିର୍ଦ୍ଧାରଣ କରିବେ
– ବଡ ବଡ କମ୍ପାନି କୃଷି ବଜାର ପ୍ରତିଷ୍ଠା କରିବା ସହ ସଂରକ୍ଷଣ, ଶୀତଳ ଭଣ୍ଡାର ଓ କୃଷି ଉତ୍ପାଦନର ପରିବହନକୁ ନିୟନ୍ତ୍ରଣ କରିବେ
– କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଫଳରେ ଦେଶରେ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହୋଇ ଯାଇପାରେ
– ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଫଳରେ ହୋଡିଂ ଓ କଳାବଜାରୀ ବଢିବା ଆଶଙ୍କା ରହିଛି
– ଲାଭବାନ ହେବେ କୃଷି ବ୍ୟବସାୟୀ ସଂସ୍ଥା, ବଡ ବଡ ବ୍ୟବସାୟୀ, ବିତରକ ଓ ଖୁଚୁରା ବେପାରରେ ସାମିଲ ବୃହତ କମ୍ପାନି
– କଂଟ୍ରାକ୍ଟ ଫାର୍ମିଂ ଫଳରେ ଚାଷୀର ଜମିର ମାଲିକାନା ଚୁକ୍ତି କରିଥିବା କମ୍ପାନି ହାତକୁ ଚାଲିଯିବାର ଆଶଙ୍କା ରହିଛି
– କଂଟ୍ରାକ୍ଟ ଫାର୍ମିଂରେ ଚାଷୀର ସ୍ୱାଧୀନତା କଥା କୁହାଯାଇଛି କିନ୍ତୁ ବଡ କମ୍ପାନି ସହ ଡିଲ କଲାବେଳେ ତାର ସ୍ୱାଧୀନତା କ୍ଷୁଣ୍ଣ ହୋଇପାରେ
– ଚାଷୀ ଓ କମ୍ପାନି ଭିତରେ ବିବାଦ ଉପୁଜିଲେ ସବ ଡିଭିଜନାଲ ମାଜିଷ୍ଟ୍ରେଟ କୋର୍ଟରେ ସମାଧାନ ପାଇଁ ଆଇନରେ ବ୍ୟବସ୍ଥା ରହିଛି
– କୌଣସି ବିକଳ୍ପ ବ୍ୟବସ୍ଥା ନକରି କୃଷି ଅବଶେଷକୁ ଜାଳିଲେ ନୂଆ ଆଇନରେ କଠୋର ଦଣ୍ଡ ବିଧାନ ରହିଛି
– ବିଦ୍ୟୁତ ଦେୟ ସଂଶୋଧନ ଆଇନ ଫଳରେ ଘରୋଇ ବିଜୁଳି ବିତରଣ କମ୍ପାନିଙ୍କ ହାତରେ ଶୋଷଣର ଶିକାର ହୋଇପାରନ୍ତି ଚାଷୀ