କନକ ବ୍ୟୁରୋ : ନୂଆ କୃଷି ଆଇନକୁ ନେଇ କୃଷକ ଆନ୍ଦୋଳନ ୧୭ ଦିନରେ ପହଂଚିଲା । ଏହାରି ମଧ୍ୟରେ କୃଷକ ସଂଗଠନ ମାନେ ଦିଲ୍ଲୀ- ଜୟପୁର ଜାତୀୟ ରାଜପଥ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଏହାସହ ହରିଆଣାରେ କୃଷକ ମାନେ ଟୋଲପ୍ଲାଜା ଦେୟମୁକ୍ତ କରିବାକୁ ଆହ୍ୱାନ ଦେଲେଣି । ସେପଟେ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଫରିଦା ବାଦ ଓ ଗୁରୁଗ୍ରାମରେ ପୋଲିସ ଛାଉଣୀ ହେଲେଣି ।
ଦିନକୁ ଦିନ ଦିଲ୍ଲୀରେ ବଢି ଚାଲିଛି ଆନ୍ଦୋଳନକାରୀ କୃଷକଙ୍କ ସଂଖ୍ୟା । ସରକାର ତାଙ୍କ ଜିଦ୍ ରେ ଅଟଳ ଥିବା ବେଳେ କୃଷକ ସଂଗଠନ ମାନେ ବି ତାଙ୍କ ଜିଦ୍ ରେ ଅଟଳ ରହିଛନ୍ତି । ଏହାରି ମଧ୍ୟରେ ପୁରା ୧୭ ଦିନ ବିତିବାକୁ ବସିଲାଣି । ହେଲେ କିଛି ସୁଫଳ ମିଳୁନାହିଁ କୃଷକ ମାନଙ୍କୁ । ଏହାରି ମଧ୍ୟରେ କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାର ବିଭିନ୍ନ ପନ୍ଥା ଆପଣାଉଥିବା କଥା କହିଛନ୍ତି କୃଷକ ନେତା ମାନେ । ସେମାନଙ୍କ କହିବା କଥା କି ସରକାର ଆନ୍ଦୋଳନକୁ ରୋକିବାକୁ କେତେବେଳେ କୃଷକ ମାନଙ୍କୁ ଖଲିସ୍ତାନୀ କହୁଛନ୍ତି ତ କେତେବେଳେ ଆତଙ୍କବଦୀ । ଏହା ସହ ଗତକାଲି କୃଷକ ଆନ୍ଦୋଳନ ଭିତରେ ଦେଶଦ୍ରୋହୀ ଶକ୍ତିମାନେ ପଶିଥିବା କଥା କହୁଥିବା ବେଳେ ଆଜି ପୁଣି କୃଷକ ମାନଙ୍କୁ ଭାଗ ଭାଗ କରିବାକୁ ଛୋଟ ଚାଷୀ ଓ ବଡ ଚାଷୀ ଖେଳ ଖେଳୁଛନ୍ତି ସରକାର ।
କୃଷିବିଲ୍ କୁ ନେଇ ଚାଲିଥିବା ଆନ୍ଦୋଳନ ଶେଷ କରିବାକୁ ସରକାର ଚାହୁଁଥିଲେ ତୁରନ୍ତ କୃଷକ ମାନଙ୍କ ଦାବି ମାନିନେବାକୁ ଚାଷୀ ନେତା ମାନେ ଅପିଲ କରିଛନ୍ତି । ନଚେତ ୧୪ ତାରିଖ ଠାରୁ ଭୋକରେ ଅନଶନ କରିବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି କୃଷକ ସଂଗଠନ ମାନେ ।
ଏହାସହ କୃଷକ ନେତା କମଲପ୍ରିତ କହିଛନ୍ତି କି ସରକାର ଏହି ଆଇନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର କରନ୍ତୁ , ଏଥିରେ ସଂଶୋଧନ ପ୍ରସ୍ତାବରେ ରାଜି ନାହୁଁ । ଆସନ୍ତା କାଲି ରାଜସ୍ଥାନ ସୀମାରେ ହଜାର ହଜାର ଟ୍ରାକ୍ଟର ସହିତ କୃଷକ ମାନେ ରାଲି କରିବେ ବୋଲି ସେ ବି ସରକାରଙ୍କୁ ଶୁଣାଇ ଦେଇଛନ୍ତି । ଅନ୍ୟପଟେ ଏହି ଭୋକ ଅନଶନ କେବଳ ଦିଲ୍ଲୀରେ ନୁହେଁ ଦେଶ ସାରା ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୧୪ ତାରିଖ ସକାଳ ୮ ଟାରୁ ସଂନ୍ଧ୍ୟା ୫ ଟା ଯାଏ ଏଭଳି ଅନଶନ କରାଯିବ ବୋଲି ସେ କହିଛନ୍ତି ।
ଏହାରି ମଧ୍ୟରେ ହରିଆଣାର ଉପମୁଖ୍ୟମନ୍ତ୍ରୀ ଆଜି କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାରଙ୍କୁ ଭେଟିଛନ୍ତି । ସେ କୃଷିମନ୍ତ୍ରୀଙ୍କୁ ଭେଟ କରିବା ପରେ ଗଣମାଧ୍ୟମକୁ କହିଛନ୍ତି କି ସରକାର ତୁରନ୍ତ ଏହାର ସମାଧାନ ବାହାର କରିବେ । ଉଭୟ ପକ୍ଷର ବୁଝାମଣା ଭିତରେ ସମାଧାନର ରାସ୍ତା ବାହାରିବ ବୋଲି ସେ କହିଛନ୍ତି । ଏନେଇ ୭ ଦିନ ମଧ୍ୟରେ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ପୁଣି ଥରେ ବୈଠକ ହୋଇପାରେ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।
ଏହାରି ମଧ୍ୟରେ ଆନ୍ଦୋଳନ ହିଂସାର ରୂପ ନେଉଥିବା ଦେଖିବାକୁ ମିଳିଛି । ଭାରତୀୟ କିଷାନ ୟୁନିୟନ ଲୋକ ଶକ୍ତି ସହିତ ଯୋଡି ହୋଇ୍ଥିବା କୃଷକ ମାନେ ଆଜି ନୋଇଡା ସାଂସଦ ମହେଶ ଶର୍ମାଙ୍କ କୈଳାସ ହସ୍ପିଟାଲକୁ ଘେରାଉ କରିଥିବା ଦେଖିବାକୁ ମିଳିଥିଲା । ସେଠାରେ କୃଷକ ମାନେ ମୁଣ୍ଡରେ ଠେକା ବାନ୍ଧି ନାରାବାଜି ବି କରୁଥିବା ସାମ୍ନାକୁ ଆସିଛି । ଏହାକୁ ନଜରରେ ଦେଖି ସରକାରଙ୍କ ପକ୍ଷରୁ ହସ୍ପିଟାଲ ଚାରିପଟେ ପୋଲିସ ଛାଉଣି କରାଯାଇଛି ।
ତେଜୁଛି କୃଷକ ଆନ୍ଦୋଳନ । ଜିଦରେ ଅଟଳ ସରକାର । ୧୪ ରୁ ଉପାସରେ ରହି ଅନଶନ କରିବେ ଚାଷୀ
/kanak/media/post_attachments/wp-content/uploads/2020/12/Capture-1.jpg)