କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଭାବେ ଆଜି ପଂଚମ ଥର ପାଇଁ ଶପଥ ନେବେ ନବୀନ ପଟ୍ଟନାୟକ । ଚଳିତ ନିର୍ବାଚନରେ ବିଜେଡିର ବଡ ବିଜୟ ପରେ ଲଗାତର ପଂଚମ ଥର ଲାଗି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନବୀନ । ଆଜି ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଶପଥ ନେବେ ନବୀନ ପଟ୍ଟନାୟକ । ଏଥିସହ ନୂଆ ମନ୍ତ୍ରୀ ମଣ୍ଡଳ ବି ଶପଥ ନେବେ । ତେବେ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପରେ ସଚିବାଳୟରେ ଆୟୋଜନ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ନିର୍ବାଚନ ବେଳେ ଦେଇଥିବା କଥା ସେଠାରେ ରଖିବେ ନବୀନ। ‘କାଳିଆ’ ଯୋଜନାର ବଳକା ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ।
ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ଦିନଟିକୁ ସ୍ମରଣୀୟ ତଥା ନିଆରା କରିବା ପାଇଁ ସଚିବାଳୟରୁ ନବୀନ ନିବାସ ପର୍ଯ୍ୟନ୍ତ ପୂରା ପ୍ରସ୍ତୁତି ସରିଛି। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ନିର୍ବାଚନ ପ୍ରଚାର ବେଳେ ନବୀନ ପ୍ରତିଶ୍ରୁତି ଦେଇଥିଲେ ଯେ ବିଜେଡି ସରକାର ଆସିବାର ପ୍ରଥମ ଦିନ ହିଁ କାଳିଆ ଯୋଜନାର ବଳକା ହିତାଧିକାରୀଙ୍କୁ ଟଙ୍କା ମିଳିବ। ଏବେ ପ୍ରତିଶ୍ରୁତି ପାଳନ କରିବାର ସମୟ। ‘କାଳିଆ’ ହିତାଧିକାରୀଙ୍କ ଆକାଉଣ୍ଟ୍କୁ ଟଙ୍କା ଯିବା ପାଇଁ ସମବାୟ ଓ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଖୋଦ୍ ମୁଖ୍ୟ ଶାସନ ସଚିବ ଏ ସଂକ୍ରାନ୍ତୀୟ ବୈଠକ କରି ପ୍ରସ୍ତୁତିର ତଦାରଖ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ପ୍ରାୟ ୪୨ ଲକ୍ଷ ଚାଷୀଙ୍କ ଆକାଉଣ୍ଟ୍କୁ ‘କାଳିଆ’ ଯୋଜନାର ପ୍ରଥମ କିସ୍ତି ଅର୍ଥ ଦିଆସରିଛି। ଏବେ ପାଖାପାଖି ୨୫ ଲକ୍ଷ ନୂଆ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଆଜି ଶପଥ ଗ୍ରହଣ ଉତ୍ସବର କିଛି ଘଣ୍ଟା ପରେ ସଚିବାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେଠାରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ହିତାଧିକାରୀଙ୍କୁ ଟଙ୍କା ବଣ୍ଟନର ଶୁଭାରମ୍ଭ କରିବେ।
ଆଜି ପ୍ରାୟ ୬/୭ ଲକ୍ଷ ଚାଷୀଙ୍କ ଆକାଉଣ୍ଟ୍କୁ ସିଧାସଳଖ ଟଙ୍କା ଯିବ। ପରବର୍ତ୍ତୀ ଦିନେ ଦୁଇ ଦିନ ଭିତରେ ଅବଶିଷ୍ଟ ସମସ୍ତ ଚାଷୀଙ୍କ ଆକାଉଣ୍ଟ୍କୁ ପ୍ରଥମ କିସ୍ତି ଯିବ। ‘କାଳିଆ’ ଯୋଜନାରେ ସାମିଲ ହୋଇଥିବା ସବୁ ଚାଷୀଙ୍କୁ ଦ୍ବିତୀୟ କିସ୍ତିର ଟଙ୍କା କେବେ ଯିବ, ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ। ତେବେ ଖୁବ୍ ଶୀଘ୍ର ଦ୍ବିତୀୟ କିସ୍ତି ପ୍ରଦାନ କରିବାକୁ ମଧ୍ୟ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି।
Follow Us
/kanak/media/post_attachments/wp-content/uploads/2019/05/KALIA-LOGO-300x186.jpeg)
/kanak/media/post_attachments/wp-content/uploads/2019/05/kalia-scheme-300x191.jpg)