ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ଗାଜିପୁରରୁ ପଲବଲ ଯାଏଁ ଟ୍ରାକ୍ଟର ରାଲିରେ ଚାଷୀଙ୍କ ଶକ୍ତି ପ୍ରଦର୍ଶନ, ୨୬ ଜାନୁଆରୀରେ ବିଶାଳ ଟ୍ରାକ୍ଟର ରାଲିର ମଙ୍ଗ ଧରିବେ ମହିଳା ।

203

କନକ ବ୍ୟୁରୋ : ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ଗାଜିପୁରରୁ ପଲବଲ ଯାଏଁ ଟ୍ରାକ୍ଟର ରାଲି କରି ଚାଷୀ ଶକ୍ତି ପ୍ରଦର୍ଶନ କରିଛନ୍ତି । ୨୬ ଜାନୁଆରୀରେ ବିଶାଳ ଟ୍ରାକ୍ଟର ରାଲି ହେବ ଯାହାର ମଙ୍ଗ ଧରିବେ ମହିଳା । ଆଜି ମଧ୍ୟ ମହିଳା ମାନେ ଟ୍ରାକ୍ଟର ରାଲିରେ ଆସି ଦିଲ୍ଲୀ ଘେରିବାକୁ ପ୍ରୟାସ କରିଛନ୍ତି ।

କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ପ୍ରବେଶ ପଥରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ଶକ୍ତି ପ୍ରଦର୍ଶନ । ଏଥର ମହିଳା ଚାଷୀ ଟ୍ରାକ୍ଟର ରାଲିରେ ବାହାରି ଦିଲ୍ଲୀକୁ ଘେରିବାକୁ ବାହାରି ପଡିଛନ୍ତି । ସବୁଆଡୁ ଚୀଷୀ ଆନ୍ଦୋଳନରେ ସାମିଲ ହେବାକୁ ହଜାର ହଜାର ଟ୍ରାକ୍ଟର ବାହାରିଛି । ସିଙ୍ଘୁ, ଟିକରି ଓ ଶାହଜାହନପୁର ସୀମାରୁ ଏହି ଟ୍ରାକ୍ଟର ରାଲି ବାହାରିଛି । ଟ୍ରାକ୍ଟର ରାଲି ଦିଲ୍ଲୀର କେଏମପି ଏକପ୍ରେସ ୱେକୁ ଆସିବା ପରେ ଚାଷୀମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି । କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ଦାବି ମାନିବା ଲାଗି ଏହାଦ୍ୱାରା ସରକାରଙ୍କୁ ସନ୍ଦେଶ ଦିଆଯିବ । ଶୁକ୍ରବାର ଦିନ ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ । ଏହାପୂର୍ବରୁ ଚାଷୀମାନେ ବଡ ପ୍ରଦର୍ଶନ କରିଛନ୍ତି ।

ଶୁକ୍ରବାର ଦିନ ବୈଠକରୁ ନିଷ୍କର୍ସ ନ ବାହାରିଲେ ୨୬ ତାରିଖ ଦିନ ଟ୍ରାକ୍ଟର ପରେଡର ଚେତାବନୀ ଦେଇଛନ୍ତି କୃଷକ ସଂଗଠନ । ଆଉ ଏହାର ମଙ୍ଗ ଧରିବେ ମହିଳା । ଟ୍ରାକ୍ଟର ରାଲିକୁ ଦୃଷ୍ଟିରେ ରଖି ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ହରିୟାଣା ଓ ଗାଜିଆବାଦ ପୁଲିସ ଏଥିପାଇଁ ଆଡଭାଇଜରି ଜାରି କରିଛି । ଚାଷୀ ଆନ୍ଦୋଳନ ୪୩ ଦିନରେ ପଂହଚିଥିବାବେଳେ ଟ୍ରାକ୍ଟର ରାଲି ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଚାଷୀ ।

ଦିଲ୍ଲୀର ସିଂଘୁ, ଟିକିରି, ଗାଜିପୁର ସୀମାରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ସୀମାରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରାଜଧାନୀ ଦିଲ୍ଲୀରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି । ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ୭ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ନାହିଁ । ନୂଆ କୃଷି ଆଇନକୁ ପ୍ରତ୍ୟାହର ଓ ଏମଏସପିକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ । ଜାନୁଆରୀ ୮ତାରିଖ ଶୁକ୍ରବାର ଦିନ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ ।