ଜିଦିରେ ଅଟଳ ଚାଷୀ । ସରକାରଙ୍କ ସହ ଆଲୋଚନା ନହେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁୁ ନିଷ୍ପତ୍ତି ।

107

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନକୁ ପୁରିଛି ବର୍ଷେ । ନୂଆ କୃଷି ନିୟମ ଉଚ୍ଛେଦ କରିବାକୁ ଘୋଷଣା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ କ୍ୟାବିନେଟରେ ବିଲ ମଧ୍ୟ ମଂଜୁରୀ ପାଇସାରିଛି । ତଥାପି ଜିଦିରେ ଅଟଳ ଚାଷୀ । ଆନ୍ଦୋଳନରୁ ନହଟିବାକୁ ଶୁଣାଇଛନ୍ତି ଚରମ ବାଣୀ । ଆଜି ଗାଜିପୁର , ସିଂଘୁ ଓ ଟିକରି ସୀମାରେ ଏକାଠି ହୋଇଛନ୍ତି ଚାଷୀ । ଏହାସହ ହରିୟାଣା ବାହାଦୁରଗଡରେ ମହାପଞ୍ଚାୟତ କରିଛନ୍ତି ।

ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ କ୍ୟାବିନେଟରେ ମଂଜୁରୀ ମିଳିସାରିଥିଲେ ବି ଚାଷୀ ଆନ୍ଦୋଳନରୁ ହଟିବାକୁ ନାରାଜ । ଚାଷୀଙ୍କ ସହ କିଛି ଆଲୋଚନା ନକରି କିପରି ସରକାର କିପରି ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସରକାରଙ୍କ ସହ କଥାବାର୍ତ୍ତା ନକରି ଆନ୍ଦୋଳନ ଶେଷ କରିବାର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଟିକାୟତ ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାକେଶ ଟିକାୟତ କହିଛନ୍ତି ଯେ, ଏମଏସପି ଗ୍ୟାରେଣ୍ଟି ପ୍ରଦାନ ନକରିବା ପର୍ୟ୍ୟନ୍ତ ଏବଂ ଆନ୍ଦୋଳନରେ ନିହତ କୃଷକଙ୍କ ପରିବାରକୁ କ୍ଷତିପୂରଣ ନମିଳିବା ପର୍ୟ୍ୟନ୍ତ ପଛକୁ ହଟିବୁ ନାହିଁ। ୭୫୦କୃଷକଙ୍କ ମୃତ୍ୟୁର ଦାୟିତ୍ବ, ଏମଏସପିକୁ ନେଇ ଗ୍ୟାରେଣ୍ଟି ଆଇନ, ଅଜୟ ଟେନି ଏବଂ ଚାଷୀଙ୍କ ବିରୋଧରେ ହୋଇଥିବା ମାମଲା ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ସରକାର ଦେବା ଉଚିତ। ଏହା ଆମର ଦାବି ଯେ ଏମଏସପି ଉପରେ ଏକ ଗ୍ୟାରେଣ୍ଟି ଆଇନ ପ୍ରସ୍ତୁତ କରାଯିବା ଉଚିତ୍। ଆମେ ଟ୍ରାକ୍ଟର ରାଲି ବାହାର କରିବୁ, ନଭେମ୍ବର ୨୯ରେ ୩୦ଟି ଟ୍ରାକ୍ଟର ରାଲିରେ ସାମିଲ ହେବ ।