ହରିଣଙ୍କ ପାଇଁ ଚାଷୀଙ୍କ ହରତାଳ! ଫସଲ କରୁଛନ୍ତି ନଷ୍ଟ, ଚାଷୀ ହନ୍ତସନ୍ତ

358

କନକ ବ୍ୟୁରୋ: ଗାଁ ବିଲରେ ଘୁରି ବୁଲୁଛନ୍ତି ହରିଣ । ବସତିକୁ ଆସୁଛନ୍ତି, ଫସଲ ଉଜାଡ଼ି ଚାଲି ଯାଉଛନ୍ତି । ଜଙ୍ଗଲି ଜନ୍ତୁ ଫସଲ ନଷ୍ଟ କରିବା ସମସ୍ତେ ଜାଣନ୍ତି କିନ୍ତୁ ହରିଣ ପାଇଁ ଏକର ଏକର ଫସଲ ନଷ୍ଟ ହେବା କଥା ହୁଏତ କମ୍ ଦେଖିବାକୁ ମିଳେ । ଇଏ ହେଉଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲ ଅଂଚଳର ଦୃଶ୍ୟ । ୨୮୦ ଏକର ପରିସୀମାରେ ବ୍ୟାପ୍ତ ଏହି ଜଙ୍ଗଲରେ ପ୍ରାୟ ୨ ହଜାର ହରିଣ ରହୁଛନ୍ତି । ଆଉ ଖାଦ୍ୟ ଓ ପାଣି ଅନ୍ୱେଷଣ ପାଇଁ ପାଖରେ ଥିବା ଗାଁ ଗୁଡ଼ିକୁ ଚାଲି ଆସୁଛନ୍ତି । ଯାହା ଫଳରେ ବ୍ୟାପକ ଫସଲହାନୀ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି ।

ହରିଣଙ୍କ ଯୋଗୁଁ ହେଉଥିବା ଫସଲହାନୀ ପ୍ରତିବାଦରେ ଇଏ ହେଉଛି ଚାଷୀଙ୍କ ପ୍ରତିବାଦ । ହରିଣଙ୍କ କବଳରୁ ଫସଲର ରକ୍ଷା ଏବଂ ହରିଣଙ୍କ ଜୀବନର ସୁରକ୍ଷା ପାଇଁ ପ୍ରତିବାଦ କରିଛନ୍ତି ଶତାଧିକ ଚାଷୀ । ଏହି ଆନ୍ଦୋଳନରେ ବିଭିନ୍ନ କୃଷକ ସଂଗଠନର ସଦସ୍ୟଙ୍କ ସମେତ ଧଳତଙ୍ଗଗଡ଼ ଅଚଂଳ ବିଭିନ୍ନ ଗାଁର ଚାଷୀ ସାମିଲ ହୋଇଛନ୍ତି । ବଡ଼ କଥା ହେଉଛି, ହରିଣ ବସତି ଆଡ଼କୁ ଚାଲି ଆସୁଥିବାରୁ କେତେବେଳେ ଟ୍ରେନ୍ ଧକ୍କା କିମ୍ବା ବୁଲା କୁକୁରର ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି ।

ଏପଟେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉଛି ଏବଂ ହରିଣଙ୍କୁ ଜଙ୍ଗଲ ଭିତରେ ସୀମିତ ରଖିବା ପାଇଁ ପ୍ରାଚିର ବ୍ୟବସ୍ଥା କରାଯାଉଥିବା କହିଛନ୍ତି- ଜଗତସିଂହପୁର ଫରେଷ୍ଟ ରେଞ୍ଜ ଅଫିସର୍ । ତେବେ ଚାଷୀଙ୍କ ଫସଲର ରକ୍ଷା ଓ ହରିଣଙ୍କ ଜୀବନକୁ ଦୃଷ୍ଟିରେ ରଖି, ସ୍ଥାୟୀ ପ୍ରତିକାର ପାଇଁ ଦାବି ବଢ଼ିବାରେ ଲାଗିଛି ।